ଗ୍ରାହକଙ୍କ ଆଖିରେ ଲୁହ ଦେଲା ଲେମ୍ବୁ: ଏହି ରାଜ୍ୟରେ କିଲୋ ପ୍ରତି ୨୦୦ ଟଙ୍କାରେ ହେଉଛି ବିକ୍ରି

185

କନକ ବ୍ୟୁରୋ: ଲେମ୍ବୁ ବି କହିଲାଣି ମୋତେ ଛୁଅଁନା । ଖଟା ହେଲେ ବି ଏବେ ଲେମ୍ବୁର ଭାଉ କମ୍ ନୁହଁ । ଗରମ ଦିନ ଆସିଲେ ଲେମ୍ବୁର ଚାହିଦା ବୃଦ୍ଧି ପାଇଥାଏ । ଫଳରେ ଏହାର ଦାମ ସାମାନ୍ୟ ବଢିଯାଏ । ହେଲେ ଗୁଜରାଟରେ ଏବେ ଲେମ୍ବୁଦର ଆକାଶଛୁଆଁ ହୋଇଛି । ପୂର୍ବରୁ ଲେମ୍ବୁ କିଲୋ ପିଛା ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ କିନ୍ତୁ କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଗ୍ରାହକ ଲେମ୍ବୁ ପାଖରୁ ମୁହଁ ଫେରାଇ ନେଉଛନ୍ତି ।

ଖରା ଦିନେ ଶୋଷ ମେଣ୍ଟାଇବା ପାଇଁ ଲେମ୍ବୁ ସର୍ବତ ହିଁ ମଧ୍ୟବିତ୍ତ ପରିବାରର ସାହାରା ପାଲଟିଥାଏ । ହେଲେ ଏବେ ଲେମ୍ବୁ ବି ମଧ୍ୟବିତ୍ତ ପରିବାରର ରୋଷେଇ ଘରେ ମହଙ୍ଗା ମାଡ କରିଛି । ଦେଶରେ ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସଠାରୁ ଆରମ୍ଭ କରି ଖାଇବା ତେଲ ଓ ଅନ୍ୟାନ୍ୟ ସାମଗ୍ରୀର ଦାମ ବୃଦ୍ଧି ପାଉଛି । ଏହି ସମୟରେ ଲେମ୍ବୁ ଦର ବୃଦ୍ଧି ପାଇବା ରୋଷେଇ ଘର ବଜେଟକୁ ଆହୁରି ବିଗାଡି ଦେଇଛି ।

ଲେମ୍ବୁରେ ଅଧିକ ମାତ୍ରାରେ ଭିଟାମିନ ସି ରହିଥାଏ । ତେଣୁ ଏହା ଖାଦ୍ୟ ହଜମ କରିବାରେ ସହାୟକ ହେବା ସହ ଶରୀରରେ ଜଳୀୟ ଅଂଶର ପରିମାଣ ଠିକ ରଖିଥାଏ । ଗୋଟିଏ ପଟେ ଲେମ୍ବୁ ଦର ବୃଦ୍ଧି ପାଉଥିବା ବେଳେ ଆଉ ଗୋଟିଏ ପଟେ ଲେମ୍ବୁ ଯୋଗାଣ ମଧ୍ୟ ହ୍ରାସ ପାଇଛି । ଏଥିପାଇଁ ଗ୍ରାହକ ମାନେ ଦମ ଦାମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଣେ ମଧ୍ୟବିତ୍ତ ପରିବାରର ଲୋକ ଏତେ ଟଙ୍କା ଦେଇ ଲେମ୍ବୁ କିଣିବା ଅସମ୍ଭବ ହୋଇପଡିଛି ।

କେବଳ ଗ୍ରାହକ ନୁହେଁ ଲେମ୍ବୁ ଦର ବୃଦ୍ଧି ପାଇଁ ଦୋକାନୀମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ସେମାନଙ୍କୁ ସାମାନ୍ୟ ପରିମାଣର ଲେମ୍ବୁ କିଣିବା ପାଇଁ ଅଧିକ ନିବେଶ କରିବାକୁ ପଡୁଛି । ଏହାସହ ଗ୍ରାହକମାନେ କମ ମାତ୍ରାରେ ଲେମ୍ବୁ କିଣୁଥିବାରୁ ସେମାନଙ୍କ ବିକ୍ରି ମଧ୍ୟ ପ୍ରଭାବିତ ହୋଇଛି ।