କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ, କେନ୍ଦ୍ରାପଡା ଓ ନବୀନଙ୍କ ସହ କରିଛନ୍ତି ବିଶ୍ୱାସଘାତକତା, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ କରୁଥିଲେ ଅପପ୍ରଚାର ।

198

କନକ ବ୍ୟୁରୋ : କେନ୍ଦ୍ରାପଡାରେ ବିଜେଡିର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କ ପ୍ରଚାର । ଅଭିଭାଷଣ ଆରମ୍ଭରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ଏଭଳି ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଗଲାଣି । ବିରୋଧୀ ବାହାରୁ ଯେତେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ନେତା ଆଣନ୍ତୁ କେନ୍ଦ୍ରାପଡାରେ କିଛି ବି ପ୍ରଭାବ ପଡିବନି ।

ନିପ୍ପନ ଷ୍ଟିଲ ମୁଖ୍ୟଙ୍କୁ ଜାପାନକୁ ଭେଟିବାକୁ ଯାଇଥିବା ବେଳେ ବାରମ୍ବାର କେନ୍ଦ୍ରାପଡା କହୁଥିଲେ ନବୀନ ପଟ୍ଟନାୟକ । କାରଣ କେନ୍ଦ୍ରାପଡାକୁ ନେଇ ବହୁତ ଦୁଃଖିତ ଥିଲେ ନବୀନ । ୧୦ ବର୍ଷ ଧରି ଜଣକୁ ସାଂସଦ କରିଥିଲେ ମଧ୍ୟ ସେ କେନ୍ଦ୍ରାପଡା ପାଇଁ କିଛି କଲେନି । ନା ପୁଞ୍ଜିନିବେଶ ଆଣିପାରିଲେ ନା ଶିଳ୍ପ ଆଣିପାରିଲେ । କେନ୍ଦ୍ରାପଡାର ବିକାଶ ପରିବର୍ତ୍ତେ ନିଜ କମ୍ପାନି ପାଇଁ କାମ କଲେ । ନିଜର ପ୍ରପଟି ବୃଦ୍ଧି କଲେ । ଉଭୟ କେନ୍ଦ୍ରାପଡା ଓ ମୋ ସହ ବିଶ୍ୱାସଘାତକତା କଲେ ବୋଲି କହିଥିଲେ ନବୀନ । ଯେଉଁଥିପାଇଁ ବିଶ୍ୱର ବଡ ଷ୍ଟିଲ ପ୍ଲାଣ୍ଟ କେନ୍ଦ୍ରାପଡାକୁ ଆଣିବାକୁ ନିଷ୍ପତ୍ତି ନେଲେ ନବୀନ । ଯେଉଁଠି ଲକ୍ଷେ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ।

ବୈଜୟନ୍ତଙ୍କ ନାଁ ନନେଇ ପାଣ୍ଡିଆନ କହିଛନ୍ତି, କେନ୍ଦ୍ରାପଡାବାସୀଙ୍କ ଆଶୀର୍ବାଦରେ ନବୀନ ୨ ଥର ଲେଖାଏଁ ତାଙ୍କୁ ସାଂସଦ କରି ପଠାଇଥିଲେ । ସାଂସଦ ହେବା ପୂର୍ବରୁ ତାଙ୍କ ପାରିବାରିକ କମ୍ପାନିର ସ୍ଥିତି କଣ ଥିଲା ଏବଂ ୧୦ ବର୍ଷ ସାଂସଦ ରହିବା ପରେ ତାଙ୍କ ପାରିବାରିକ କମ୍ପାନି କିଭଳି ଲାଭବାନ ହେଲା ତାହା ଗୁଗୁଲରେ ସର୍ଚ୍ଚ କଲେ ମଧ୍ୟ ଜାଣିପାରିବେ । ନିଜ କମ୍ପାନି ପାଇଁ ରେଲୱେ ଆଣିଲେ, କିନ୍ତୁ କେନ୍ଦ୍ରାପଡାବାସୀଙ୍କ ପାଇଁ ରେଲୱେ ଆଣିବାକୁ ଭୁଲିଗଲେ । ୨୦୧୪ରେ ସଂସଦର ଫାଇନାନ୍ସ କମିଟିର ଚେୟାରମ୍ୟାନ ହେବାକୁ ଚେଷ୍ଟା କରିଥିଲେ ବୈଜୟନ୍ତ । କିନ୍ତୁ ପୂର୍ବରୁ ଫାଇନାନ୍ସ କମିଟିର ସଦସ୍ୟ ଥିବା ବେଳେ ନିଜ କମ୍ପାନି ପାଇଁ ଋଣ ଛାଡ କରିଥିଲେ । ଫାଇନାନ୍ସ କମିଟିର ଚେୟାରମ୍ୟାନ ହେଲେ ସେ ନିଜର ଫାଇଦା ପାଇଁ କଣ କରିବେ ତାହା କେହି କଳ୍ପନା ମଧ୍ୟ କରିପାରିବେ ନାହିଁ । ତେଣୁ ଓଡ଼ିଶା, କେନ୍ଦ୍ରାପଡା ଓ ବିଜେଡିକୁ ଯେପରି ବଦନାମ ନହେଉ ସେଥିପାଇଁ ତାଙ୍କୁ ଫାଇନାନ୍ସ କମିଟିର ଚେୟାରମ୍ୟାନ ହେବାକୁ ସୁଯୋଗ ଦେଇନଥିଲେ ନବୀନ । ସେବେଠାରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର ଓ ଗୁଜବ କରିବା ଆରମ୍ଭ କଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭ୍ରମିତ କରୁଥିଲେ କେନ୍ଦ୍ରାପଡା ସାଂସଦ ।

ମୁଖ୍ୟମନ୍ତ୍ରୀ ଚୌକି ଲୋଭରେ କେନ୍ଦ୍ରାପଡା ସାଂସଦ ୨୦୧୫ରୁ ନବୀନଙ୍କ ଦେହ ଖରାପ ଅଛି ବୋଲି ସବୁଠି ପ୍ରଚାର କଲେ । ନିଜ ଗଣମାଧ୍ୟମ ଜରିଆରେ ଏଭଳି କରିଥିଲେ କେନ୍ଦ୍ରାପଡା ସାଂସଦ । ଏଭଳି ବ୍ୟକ୍ତିକୁ ଚିହ୍ନିରଖିବା ଉଚିତ୍ । ନବୀନ ବାବୁ ଲୋକଙ୍କ ପାଇଁ କାମ କରୁଛନ୍ତି । କିନ୍ତୁ ଅନ୍ୟପଟେ କେନ୍ଦ୍ରାପଡା ସାଂସଦ ନିଜ କମ୍ପାନିର ଲାଭ ପାଇଁ କାମ କରୁଥିଲେ । ବାହାର ନେତା କେନ୍ଦ୍ରାପଡାକୁ ଆସି ବିଶ୍ୱାସଘାତକ ନେତାଙ୍କ ପାଇଁ ଯେତେ କାମ କଲେ ବି ତାହାର ପ୍ରଭାବ ପଡିବନି । ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଶପଥ ଗ୍ରହଣ କରିବେ । ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍ ଛାଡ, ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବିଏସକେୱାଇ ଓ ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ଙ୍କୁ ଭତ୍ତା ମିଳିବ । ତେଣୁ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ ।