ପାକିସ୍ତାନ ବିରୋଧୀ ମୋର୍ଚ୍ଚାରୁ ଶାହବାଜ ଶରିଫଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ, ରାଷ୍ଟ୍ରପତି ଭଙ୍ଗକଲେ ସଂସଦ

176

କନକ ବ୍ୟୁରୋ : ପାକିସ୍ତାନ କ୍ଷମତା ରାଜନୀତିରେ ଲାଗିଥିବା ସଂକଟ ଭିତରେ ଆଜି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କିଛି ଆଶ୍ୱସ୍ଥି ମିଳିଛି । ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ସଂସଦରେ ଉପ-ବାଚଷ୍ପତ୍ତି ଖାରଜ କରିଦେଇଛନ୍ତି । ଉପ-ବାଚଷ୍ପତ୍ତି କାଶିମ ଖାନ ଅବିଶ୍ୱାସ ପ୍ରସ୍ତାବକୁ ବିଦେଶୀ ଷଡଯନ୍ତ୍ର କହି ଖାରଜ କରିଦେଇଛନ୍ତି । ଏହାପରେ ଇମ୍ରାନ ଖାନ ପାକିସ୍ତାନବାସୀଙ୍କୁ ସମ୍ବୋଧିତ କରି ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି ।

ସେପଟେ ଅବିଶ୍ୱାସ ପ୍ରସ୍ତାବ ଖାରଜ ହେବା ପରେ କେବଳ ବିରୋଧୀଦଳମାନେ ସଂସଦରେ ଅଧିବେଶନ ଜାରି ରଖିଛନ୍ତି । ଏହାସହ ବିରୋଧୀଦଳ ନେତା ଶାହବାଜ ଶରିଫଙ୍କୁ ବିରୋଧୀଦଳ ମେଣ୍ଟର ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି । ଶାହବାଜ ଶରିଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଭାଇ ଓ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିର ବିରୋଧୀଦଳ ନେତା । ସେ ୧୯୮୮ ମସିହାରେ ପଞ୍ଜାବ ବିଧାନସଭା ପାଇଁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୦ ରେ ନ୍ୟାସନାଲ ଆସେମ୍ବ୍ଲି ପାଇଁ ନିର୍ବାଚିତ ହୋଇଥିଲେ । ଏହାପରେ ପୁଣି ୧୯୯୩ ମସିହାରେ ପଞ୍ଜାବ ବିଧାନସଭା ପାଇଁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୭ ମସିହାରେ ସେ ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେଲେ । ଏହାପରେ ୧୯୯୯ ମସିହାରେ ଏକ ଘଟଣା କ୍ରମେ ସେ ନିଜ ପରିବାର ସହ ଲୁଚି ସାଉଦୀ ଆରବରେ ରହିଗଲେ । ୨୦୦୭ ରେ ସେ ପୁଣିଥରେ ପାକିସ୍ତାନ ଫେରିଥିଲେ ।

ସେପଟେ ପାକିସ୍ତାନର ସୂଚନା ପ୍ରସାରଣ ମନ୍ତ୍ରୀଙ୍କ ସୂଚନା କ୍ରମେ ଆସନ୍ତା ୯୦ ଦିନ ମଧ୍ୟରେ ନିର୍ବାଚନ ହୋଇପାରେ । ଅନ୍ୟପଟେ ଇମ୍ରାନ ଖାନଙ୍କ ସୁପାରିଶ ପରେ ପାକ୍ ରାଷ୍ଟ୍ରପତି ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିକୁ ଭଙ୍ଗ କରିଦେଇଛନ୍ତି ।