ସୁନା କାରିଗରରୁ ସମାଜସେବୀ । ଶବ ଦାହ କରି ଚର୍ଚ୍ଚାରେ ସୁଫଳ ସାହୁ ।

358
କନକ ବ୍ୟୁରୋ: ପେସାରେ ସୁନା କାରିଗର । ହେଲେ ନିଶା ସମାଜସେବା । ସେ ପୁଣି ଏପରି ସମାଜସେବା ଯାହା କରିବାକୁ କ୍ୱଚିତ ଲୋକ ସାହାସ କରନ୍ତି । ହେଲେ ଏପରି ସାହସ ଜୁଟାଇଛନ୍ତି ଭଦ୍ରକ କୁଆଁଶ ଗ୍ରାମର ସୁଫଳ ସାହୁ । ଶବସକ୍ରାର କରିବା କାର୍ଯ୍ୟକୁ ଏକ ପୁଣ୍ୟ କାର୍ଯ୍ୟ ଭାବି ବ୍ରତ ଭାବେ ଗ୍ରହଣ କରିନେଇଛନ୍ତି ।
ଭଦ୍ରକ କୁଆଁଶ ଅଞ୍ଚଳର ସୁଫଳ ସାହୁ । ବୟସ ୫୧  । ସ୍ତ୍ରୀ, ୪ ଝିଅଙ୍କୁ ନେଇ ତାଙ୍କ ପରିବାର । ସ୍ଥାନୀୟ  ଅଞ୍ଚଳରେ ଜଣେ ସୁନା କାରିଗର ଭାବେ ବେଶ୍ ଜଣାଶୁଣା ସୁଫଳ । ବଜାରରେ ତାଙ୍କର ଏକ ସୁନା ଦୋକାନ ରହିଛି । ଏଥିରେ ତାଙ୍କ ପରିବାର ସୁରୁଖୁରୁରେ ଚଳିଯାଏ । ହେଲେ ଏହା ଠାରୁ ଆଉ ଏକ ଭିନ୍ନ ପରିଚୟ ରହିଛି ତାଙ୍କର । କିଛି ନିଆରା କାର୍ଯ୍ୟ ତାଙ୍କୁ କେବଳ ଭଦ୍ରକରେ ନୁହେଁ ବରଂ ପୁରା ରାଜ୍ୟରେ ଚର୍ଚ୍ଚିତ କରିପାରିଛି । ଗରୀବ , ଅସହାୟଙ୍କ ଶବ ସଂସ୍କାର କରିବାରେ ସେ ସବୁବେଳେ ଆଗୁସାର । ଏହି କାର୍ଯ୍ୟ ପାଇଁ ତାଙ୍କୁ ଯେଉଁଠି ଯେତେବେଳେ ଖୋଜା ପଡେ ସବୁ କାମକୁ ପଛରେ ପକାଇ ଶବ ସଂସ୍କାର ପାଇଁ ବାହାରି ପଡିନ୍ତି । କୋକେଇ ବନ୍ଧାଠାରୁ ଆରମ୍ଭ କରି ଶେଷ କୃତ୍ୟ ପର୍ଯ୍ୟନ୍ତ ସବୁ କିଛି ସୁଫଳ ନିଜେ ହିଁ କରିଥାନ୍ତି । ହେଲେ ଏଥିପାଇଁ ସେ ଟଙ୍କାଟିଏ ବି କାହାରିଠାରୁ ନିଅନ୍ତି ନାହିଁ ।

ଯେଉଁ ହାତରେ ଭଳିକି ଭଳି ସୁନା ଅଳଙ୍କାର ଗଢୁଛନ୍ତି ସେହି ହାତରେ ଶହଶହ ଶବ ସକ୍ରାର କଲେଣି । ଗରୀବ , ଅସହାୟଙ୍କ ଆଶା ସାଜିଛନ୍ତି ସୁଫଳ । ଏବେ ସୁଦ୍ଧା ପାଖାପାଖି ୨ଶହ ଶବ ସଂସ୍କାର କରିସାରିଲେଣି । ଏହା ହିଁ ତାଙ୍କ ପାଇଁ ଈଶ୍ୱର ସେବା । ମଶାଣି , ଶବକୁ ତାଙ୍କର ଡର ନାହିଁ । କରୋନା ସମୟରେ ମଧ୍ୟ ନିଜ ଜୀବନକୁ ପାଣି ଛଡେଇ କରିଛନ୍ତି ଅନେକ ଶବ ସଂସ୍କାର । ତେବେ ଏପରି କାମ ପଛରେ ରହିଛି ଏକ ଦୁଃଖଦ ଘଟଣା । ଥରେ ମେଡିକାଲ ଯାଇଥିବାବେଳେ ଜଣେ ମହିଳାଙ୍କର ନାବାଳକ ପୁଅର ମୃତ୍ୟୁ ହୋଇଥିଲା । ପୁଅର ଶବକୁ ଘରକୁ ନେବାକୁ ରିକ୍ସାବାଲା ଅଧିକ ଟଙ୍କା ମାଗିଥିଲା । କାନ୍ଦି କାନ୍ଦି ରିକ୍ସାବାଲାକୁ ନେହୁରା ହୋଇଥିଲେ ମହିଳା ଜଣକ । ଏଇ ଦୃଶ୍ୟ ତାଙ୍କ ମନକୁ ଦୋହଲାଇ ଦେଇଥିଲା । ବାସ୍ ସେହିଦିନଠାରୁ ପାଲଟିଛନ୍ତି ଗରୀବଙ୍କ ଶବର ସାହା । ଆବଶ୍ୟକ ପଡିଲେ ସକ୍ରାର ପାଇଁ ନିଜ ହାତରୁ ଅର୍ଥ ମଧ୍ୟ ଖର୍ଚ୍ଚ କରନ୍ତି ସୁଫଳ ।
ସୁଫଳଙ୍କ ଶବ ସକ୍ରାରର ଏହି ଯାତ୍ରା ୧୮ ବର୍ଷ ବୟସରୁ ଆରମ୍ଭ । ଏଥିପାଇଁ ସମର୍ଥନ କରୁଛନ୍ତି ତାଙ୍କ ପରିବାର । ଏପରି ଏକ ଅନନ୍ୟ କାର୍ଯ୍ୟ ପାଇଁ ସୁଫଳଙ୍କ ପ୍ରଶଂସା ଆଜି ମସସ୍ତଙ୍କ ମୁହଁରେ ।