ଲାଞ୍ଚନେବା ବେଳେ ଧରାପଡିଲେ ବିଜେପି ବିଧାୟକଙ୍କ ପୁଅ, ଘରେ ଚଢାଉ କରିବା ପରେ ମିଳିଲା ଟଙ୍କାର ପାହାଡ

16,051

କନକ ବ୍ୟୁରୋ : ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ରହିଛି । ଏହି ସମୟରେ ଶାସନ କ୍ଷମତାରେ ଥିବା ବିଜେପି ତାର ସେବା ମନୋବୃତ୍ତି ଓ କାମକୁ ନେଇ ଜୋରଦାର ପ୍ରଚାର ଆରମ୍ଭ କରିଥିବା ବେଳେ ଜଣେ ବିଜେପି ବିଧାୟକଙ୍କ ପୁଅ ନିକଟରୁ ଏତେ ପରିମାଣର ନଗଦ ଟଙ୍କା ମିଳିଛି କି ଯାହା କର୍ଣ୍ଣାଟକ ବିଜେପିର ସ୍ୱଚ୍ଛ ଚେହେରା ଉପରେ ଦାଗ ଲଗାଇ ଦେଇଛି ।

କର୍ଣ୍ଣାଟକ ବିଜେପିର ବିଧାୟକ ଥିବା ମଦଲ ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମଦଲଙ୍କ ଘରେ ଦୁର୍ନୀତି ବିରୋଧୀ ଶାଖା ପକ୍ଷରୁ ଯେତେବେଳେ ଚଢାଉ କରାଗଲା ସେତେବେଳେ ଅଧିକାରୀମାନଙ୍କ ଆଖି ଖୋସିହୋଇଯାଇଥିଲା । ଅଧିକାରୀଙ୍କ କହିବା ମୁତାବକ ପ୍ରଥମେ ପ୍ରଶାନ୍ତ ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ । ଏହାପରେ ତାଙ୍କ ଘର ଉପରେ ଚଢାଉ କରାଯିବା ବେଳେ ୬କୋଟିରୁ ଅଧିକ ନଗଦ ଟଙ୍କା ମିଳିଛି । ସେପଟେ ମଦଲ ବରୁପକ୍ଷପ୍ପା କର୍ଣ୍ଣାଟକ ସାବୁନ ଓ ଡିଟରଜେଣ୍ଟ ଲିମିଟେଡର ଅଧ୍ୟକ୍ଷ ରହିଛନ୍ତି । ତାଙ୍କ କମ୍ପାନୀ ମୈସୁର ସ୍ୟାଣ୍ଡେଲ ସାବୁନ ପ୍ରସ୍ତୁତ କରିଥାଏ । ଅନ୍ୟପଟେ ତାଙ୍କ ପୁଅ ପ୍ରଶାନ୍ତ ବେଙ୍ଗାଲୋର ଜଳ ଯୋଗାଣ ବିଭାଗର ମୁଖ୍ୟ ଲେଖାକାର ରହିଛନ୍ତି ।

ଲୋକାୟୁକ୍ତ ଅଧିକାରୀ ଗୁରୁବାର ଦିନ ବିଜେପି ବିଧାୟକ ଏମ୍ ବିରୁପାକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ୪୦ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ଗିରଫ କରିଥିଲେ । ତାଙ୍କୁ ତାଙ୍କ ବାପାଙ୍କ ଫ୍ୟାକ୍ଟ୍ରି କର୍ଣ୍ଣାଟକ ସୋପ ଆଣ୍ଡ ଡିଟରଜେଣ୍ଟ ଲିମିଟେଡ କାର୍ଯ୍ୟାଳୟରୁ ଗିରଫ କରାଯାଇଥିଲା ।

ସୂତ୍ର ସୂଚନା ମୁତାବକ ପ୍ରଶାନ୍ତଙ୍କ ଘରୁ ନଗଦ ଟଙ୍କାର ୩ଟି ବ୍ୟାଗ ଜବତ ହୋଇଛି । ୨୦୦୮ବ୍ୟାଚର ଅଧିକାରୀ ପ୍ରଶାନ୍ତଙ୍କୁ ସାବୁନ ଓ ଡିଟରଜେଣ୍ଟ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା କଞ୍ଚାମାଲର ଠିକା ଦେବାକୁ ଜଣେ ଠିକାଦାର ସହିତ ଡିଲ କରି ଏହି ଲାଂଚ ନେଉଥିବା ବେଳେ ଧରାପଡିଛନ୍ତି ।