ରାଜକୋଟ ଗେମିଂ ଜୋନରେ ନିଆଁ ଲାଗିବା ଘଟଣା । ହାଇକୋର୍ଟ କହିଲେ, ଗୁଜରାଟ ସରକାର ଉପରେ ଭରସା ନାହିଁ, ବିନା ଅନୁମତିରେ ଚାଲୁଥିଲା ଗେମିଂ ଜୋନ

303

କନକ ବ୍ୟୁରୋ : ରାଜକୋଟ ଟିଆରପି ଗେମ୍ ଜୋନରେ ନିଆଁ ଲାଗି ୨୮ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଗୁଜରାଟ ହାଇକୋର୍ଟ ରାଜକୋଟ ମହାନଗରପାଳିକାର ପ୍ରଶାସନକୁ କଟାକ୍ଷ କରିଛନ୍ତି । କୋର୍ଟ କହିଛନ୍ତି କି, ୨୮ ଜଣଙ୍କ ମୃତ୍ୟୁ ପରେ ରାଜକୋଟ୍ ପୌରପାଳିକା ଜାଣିବାକୁ ପାଇଛି କି, ସହରରେ ଏତେବଡ ଦୁଇଟି ଗେମିଂ ଜୋନ ବିନା ଅନୁମତିରେ ଚାଲୁଥିଲା । ଗୁଜରାଟ ହାଇକୋର୍ଟ ରାଜକୋଟ ପ୍ରଶାସନକୁ ଅନ୍ଧ ନା ଶୋଇ ରହିଥିଲ ବୋଲି କଟାକ୍ଷ କରିଛ୍ତି ।

ରାଜକୋଟରେ ଗେମିଂ ସେଣ୍ଟର ବିନା ଅନୁମତିରେ ଚାଲୁଥିଲା, ଏହାସହ ଅଗ୍ନି ସୁରକ୍ଷା ନେଇ କୌଣସି ଅନୁମତି ନିଆଯାଇ ନଥିଲା । ଏଭଳି ୪ ବର୍ଷ ହେବ ଚାଲୁଥିବା କଥା କୋର୍ଟ କହିଛନ୍ତି । ଏଣୁ ରାଜକୋଟ ପ୍ରଶାସନ ଓ ଗୁଜରାଟ ସରକାର ଉପରେ ଭରସା କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ସେପଟେ ଘଟଣାକୁ ଅଣଦେଖା କରିବା ଅଭିଯୋଗରେ ଗୁଜରାଟ ସରକାର ସୋମବାର ଦିନ ୬ ଅଧିକାରୀଙ୍କୁ ଛଟେଇ କରିଛନ୍ତି । ରାଜକୋଟରେ ମେ’୨୫ ତାରିଖ ଦିନ ସନ୍ଧ୍ୟାବେଳେ ହୋଇଥିବା ଅଗ୍ନିକାଣ୍ଡର ଏକ ସିସିଟିିଭି ଫୁଟେଜ୍ ସାମ୍ନାକୁ ଆସିଛି । ଏହି ଭିଡିଓରେ ଗେମିଂ ଜୋନ ପରିସରରେ ଥିବା ଏକ କୋଠାରେ କିଛି ଶ୍ରମିକ କାମ କରୁଥିବାର ଦେଖିବାକୁ ମିଳିଛି । ହଠାତ ଏହି କୋଠାରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା । କିଛି ସମୟ ମଧ୍ୟରେ ଏହା ପୁରା ଗେମିଂ ଜୋନ ପରିସରକୁ କାବୁ କରିନେଇଥିଲା । ଏଥିରେ ଶିଶୁଙ୍କ ସମେତ ମୋଟ ୨୮ ଜଣଙ୍କର ମୃତ୍ୟୁ ହୋଇଛି ।