କର୍ଣ୍ଣାଟକରେ ସସପେନ୍ସ ଜାରି । ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

149

କନକ ବ୍ୟୁରୋ : କର୍ଣ୍ଣାଟକର କିଏ ହେବେ ମୁଖ୍ୟମନ୍ତ୍ରୀ । ବହୁମତ ସହ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବଡ ଜିତ ହାସଲ କରିସାରିଥିଲେ ମଧ୍ୟ ଏହି ପ୍ରଶ୍ନର ଉତର ଏବେ ସୁଦ୍ଧା ମିଳିପାରିନି । ଦିଲ୍ଲୀ ଦରବାରରେ ହାଇକମାଣ୍ଡଙ୍କ ନେତୃତ୍ୱରେ ବସୁଛି ଘନଘନ ବୈଠକ । ତଥାପି ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁନି । ଏହା ଭିତରେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ପଦର ଦୁଇ ପ୍ରମୁଖ ଚେହେରା ସିଦ୍ଦରମୈୟା ଓ ଡିକେ ଶିବକୁମାର । କିଛି ସମୟ ଧରି ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଛନ୍ତି ସିଦ୍ଦରମୈୟା  । ଏହା ପରେ ଡି.କେ ଶିବକୁମାର ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ବିଭିନ୍ନ ଜାତୀୟ ଗଣମାଧ୍ୟରେ ଏକଥା ମଧ୍ୟ ଚର୍ଚ୍ଚା ହେଉଛି କି ସିଦ୍ଦରମୈୟା ହୋଇପାରନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । ସିଦ୍ଦରମୈୟାଙ୍କ ସମର୍ଥକ ସେଲିବ୍ରେସନ ମଧ୍ୟ ଆରମ୍ଭ କରସାରିଛନ୍ତି ଓ ଶିବକୁମାର ସମର୍ଥକଙ୍କ ମଧ୍ୟ ବିରୋଧ ମଧ୍ୟ ଦେଖାଗଲାଣି ।

ଗୋଟେପଟେ ସିଦ୍ଦରମୈୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ଅନ୍ୟପଟେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି ବରିଷ୍ଠ ନେତା ରଣଦୀପ ସୁର୍ଜେୱାଲା । ବୈଠକ ପରେ ରଣଦୀପ କହିଛନ୍ତି ମୁଖ୍ୟମନ୍ତ୍ରୀ ପଦକୁ ନେଇ ବୈଠକ ଚାଲିଛି । ଖୁବ ଶିଘ୍ର ଆସିବ ଅନ୍ତିମ ଫଇସଲା । ୪୮ରୁ ୭୨ ଘଂଟା ଭିତରେ କର୍ଣ୍ଣାଟକରେ ଗଠନ ହେବ ନୂଆ ସରକାର ।ଭୁଲ ଖବର ପ୍ରସାରଣ କରନ୍ତୁ ନାହିଁ ।

ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ସିଦ୍ଦରମୈୟା ରହିଛନ୍ତି । ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ ଏହି ଫର୍ମୁଲା ପ୍ରତି ଶିବକୁମାର ରାଜି ନଥିବା ସୂଚନା ରହିଛି । ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ କଂଗ୍ରେସର ତୁଙ୍ଗ ନେତା ବିଚାର ବିମର୍ଶ କରିଥିବା ସୂଚନା ମିଳିଛି ।

କଂଗ୍ରେସ ପାଇଁ ଉଭୟ ସିଦ୍ଦରମୈୟା ଓ ଶିବକୁମାର ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଦଳର ଏହି ଦୁଇ ପ୍ରମୁଖ ଚେହେରାଙ୍କୁ ମନାଇବା ପାଇଁ ଦଳ କସରତ ମଧ୍ୟ କରୁଛି । ୫୦-୫୦ ଫମୂର୍ଲା ଆପଣାଇ ଥିଲେ ବି ଫେଲ ମାରିଥିବା କୁହାଯାଉଛି । ଏବେ ଦେଖିବାକୁ ବାକି ରହିଲା ଶେଷରେ କାହା ହାତରେ କର୍ଣ୍ଣାଟକ ଶାସନ ଡୋରୀ ଦେଉଛି । ଦଳ ଅଭିଜ୍ଞ ତଥା ବରିଷ୍ଠ ନେତା ସିଦ୍ଦରମୈୟାଙ୍କ ଉପରେ ମୋହର ମାରୁଛି ନା ଦଳର ସଙ୍କଟ ମୋଚନ ଡି.କେ ଶିବକୁମାରଙ୍କ ମୁଣ୍ଡରେ ଗୁରୁଦାୟିତ୍ୱ ଦେଉଛି ।