ବିଜେଡି- ବିଜେପି ଟ୍ୱିଟ୍ ୱାର୍ । ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ ପ୍ରଣବ ପ୍ରକାଶ ଦାସ  । କହିଲେ, ଶାଳୀନତା ଭୁଲିଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ।  

1,396

କନକ ବ୍ୟୁରୋ: ନିର୍ବାଚନୀ ସଭାରେ ଶବ୍ଦ ବ୍ୟବହାରକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଟ୍ୱିଟ୍ ଯୁଦ୍ଧ । ମୋରଡ଼ା ଓ ବାରିପଦାରେ ନିର୍ବାଚନ ପ୍ରଚାର ବେଳେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ଟାର୍ଗେଟ୍ କରିଛନ୍ତି ପ୍ରଣବ ପ୍ରକାଶ ଦାସ । କହିଛନ୍ତି, ଓଡ଼ିଶାର ସଂସ୍କୃତି ଉଚ୍ଚକୋଟୀର । ଜଣେ ବ୍ୟକ୍ତି ରାଜନୀତିରେ ଥାଆନ୍ତୁ କିମ୍ବା କୌଣସି ବି କ୍ଷେତ୍ରରେ, ସମସ୍ତେ ଏହି ସଂସ୍କୃତିକୁ ସମ୍ମାନ ଦେଇଥାନ୍ତି । ଅତ୍ୟନ୍ତ ଶାଳୀନତା ଓ ଭଦ୍ରାମୀର ସହ କଥା ହେବା ଓ ପ୍ରତିପକ୍ଷଙ୍କୁ ସମ୍ମାନ ଦେବା ହିଁ ଓଡ଼ିଆଙ୍କୁ ଦେଶର ସମ୍ମାନସ୍ପଦ ପରିଚୟ ଦେଇଛି । ଓଡ଼ିଶା ରାଜନୈତିକ କ୍ଷେତ୍ରରେ ବି ଅତ୍ୟନ୍ତ ଉଚ୍ଚକୋଟୀର ଶାଳୀନତା ରହି ଆସିଛି । ଯାହାକୁ ସବୁ ଦଳର ନେତାମାନେ ପାଳନ କରିଆସୁଛନ୍ତି । ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଯେଉଁଭଳି ଭାବେ ଶାଳୀନତା ଭୁଲି ଅପମାନସୂଚକ ଶବ୍ଦ ପ୍ରୟୋଗ କରୁଛନ୍ତି ଏହା କାହାକୁ ଆଶ୍ୱର୍ଯ୍ୟ କରୁନାହିଁ ବୋଲି କହିଛନ୍ତି ପ୍ରବଣ ପ୍ରକାଶ ଦାସ ।

ପ୍ରଣବଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । କହିଛନ୍ତି, ବ୍ରହ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି, ଏଠି ବିଜେପି ଚୋରଙ୍କୁ ଟିକେଟ୍ ଦେଉଛି, ଏହା କେଉଁ ଭାଷା ଥିଲା । ସଂସ୍କୃତି, ସଂସ୍କାର ଓ ପରମ୍ପରା ଆପଣଙ୍କର, ଆପଣଙ୍କ ଦଳର କିମ୍ବା ଆପଣଙ୍କ ମାଲିକଙ୍କ ପାଖରେ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଥମେ ନିଜକୁ ଦେଖ, ନିଜର ଆଚରଣ ଓ ଉଚ୍ଚାରଣକୁ ସଜାଡିବା ପରେ ଅନ୍ୟମାନଙ୍କୁ କୁହନ୍ତୁ ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ ।