ସଂଘର୍ଷରୁ ସଫଳତା: ଶାରୀରିକ ଭିନ୍ନକ୍ଷମରୁ ସଫଳ ଉଦ୍ୟୋଗୀର ଯାତ୍ରା

63

କନକ ବ୍ୟୁରୋ: ବାସନ୍ତୀ ରଣା । ଘର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର କୁମାରୀ ଗାଁ । ନିଜେ ଚାଲିବୁଲି ପାରନ୍ତିନି, କିନ୍ତୁ ଏବେ ସେ ଶହ ଶହ ମହିଳାଙ୍କୁ ସେମାନଙ୍କ ଗୋଡ଼ରେ ଛିଡ଼ା କରିପାରିଛନ୍ତି । ପିଲାବେଳୁ ପୋଲିଓରେ ଆକ୍ରାନ୍ତ ହେବା ପରେ ଜୀବନ ଯାତ୍ରା ସହଜ ନଥିଲା ବାସନ୍ତୀଙ୍କ ପାଇଁ । ହେଲେ ତାଙ୍କର ଇଚ୍ଛାଶକ୍ତି ଥିଲା ଅଦ୍ୟମ, ଲକ୍ଷ୍ୟସ୍ଥଳ ଥିଲା ସ୍ପଷ୍ଟ । ନିଜକୁ ଦୁର୍ବଳ ନଭାବି ପ୍ରତିକୂଳ ପରିସ୍ଥିତି ବିରୋଧରେ ସଂଘର୍ଷ କରି ସଫଳତାର ପାହାଚ ପରେ ପାହାଚ ଚଢ଼ିଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ୧୨ ବର୍ଷରେ ୧୨୦୦ ମହିଳାଙ୍କୁ ଟେଲରିଂ ଶିଖାଇ ସ୍ୱାବଲମ୍ବୀ କରିଛନ୍ତି ବାସନ୍ତୀ ।

ଯୁକ୍ତଦୁଇ ପଢିବା ପରେ ବାସନ୍ତୀଙ୍କ ପାଠପଢା ଅଟକି ଯାଇଥିଲା । ସେତେବେଳେ ଭିନ୍ନକ୍ଷମର ଟ୍ୟାଗ୍ ନେଇ ଜୀବନ ଜିଉଁଥିଲେ ସେ । ପୋଲିଓ ଯୋଗୁଁ ଚାଲିବୁଲି ସିନା ପାରୁନଥିଲେ, କିନ୍ତୁ ତାଙ୍କ ମନୋବଳ ଥିଲା ଆକାଶ ଛୁଆଁ । ୨୦୦୪ରେ ତପନ କୁମାର ପାଢୀଙ୍କୁ ସେ ବିବାହ କରିଥିଲେ । ଏହାପରେ ସ୍ୱାମୀଙ୍କ କାନ୍ଧରେ କାନ୍ଧ ମିଳାଇ ପରିବାର ଚଳାଇବା ପାଇଁ ମନ ବଳାଇଥିଲେ । ବାପାଙ୍କ ପ୍ରେରଣାରେ ଟେଲରିଂ ଶିଖିଥିବାରୁ ଏହାକୁ ଜୀବନର ବ୍ରତଭାବେ ଗ୍ରହଣ କରି ନିଜର ବୃତିଗତ ଜୀବନ ଆରମ୍ଭ କରିଥିଲେ । ସେବେଠାରୁ ଆଉ ସେ ପଛକୁ ଫେରି ଚାହିଁନାହାନ୍ତି । ମହିଳାମାନଙ୍କୁ ସାୟା, ବ୍ଲାଉଜ, ସାର୍ଟ, ପ୍ୟାଣ୍ଟ,ଶାଢୀ ଫଲ୍ସ ଲଗାଇବା ସମ୍ପର୍କରେ ପ୍ରଶିକ୍ଷଣ ଦେଇଆସୁଛନ୍ତି ବାସନ୍ତୀ ।

୨୦୧୧ରେ ନିଜ ଘରେ ଆରମ୍ଭ କରି୍ଥିଲେ ଜୟ ମା’ ଦୂର୍ଗା ଟେଲରିଂ ସେଣ୍ଟର । ପରେ କୁମାରୀ ପଞ୍ଚାୟତର ପଣ୍ଡୁଆଠାରେ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ମହିଳା ଓ ଯୁବତୀମାନଙ୍କୁ ଟେଲରିଂ ଶିକ୍ଷା ଦେଇଆସୁଛନ୍ତି । ନିଜେ ପରିବାର ଚଳାଇବା ସହ ବାରଶହରୁ ଅଧିକ ମହିଳା ଓ ଯୁବତୀଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି । ଭବିଷ୍ୟତରେ ବାର ହଜାର ମହିଳାଙ୍କୁ ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖିଛନ୍ତି ବାସନ୍ତୀ ।