ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା : ସିସୋଦିଆଙ୍କ ପରେ ବଢିଲା କେସିଆରଙ୍କ ଝିଅ କବିତାଙ୍କ ପାଇଁ ଅଡୁଆ

737

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ,ଚନ୍ଦ୍ରଶେଖର ରାଓଙ୍କ କନ୍ୟା କେ. କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିଛି । ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୯ ତାରିଖରେ ତାଙ୍କୁ ପଚରା ଉଚରା ପାଇଁ ନୋଟିସ କରାଯାଇଛି । ଏହା ପୂର୍ବରୁ ବି ସିବିଆଇ ତରଫରୁ ସମାନ ମାମଲାରେ ବିଆରଏସର କିଛି ନେତାଙ୍କୁ ଜେରା କରିଥିଲା । ଏହାସହ ସିବିଆଇ ତରଫରୁ ଡିସେମ୍ବର ୧୨ ତାରିଖରେ ହାଇଦ୍ରାବାଦ ଠାରେ କେ.କବିତାଙ୍କୁ ୭ଘଂଟା ଜେରା କରିଥିଲା ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଅର୍ଥ ହେରଫେର ଦିଗ ଉପରେ ଯାଂଚ କରୁଛି । ଗୋଟିଏ ଦିନ ପୂର୍ବରୁ ସମାନ ମାମଲାରେ ହାଇଦ୍ରାବାଦର ଜଣେ ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ ପିଲାଇଙ୍କୁ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦେଇଛି । ଅରୁଣଙ୍କୁ କବିତାଙ୍କ ପାଖ ଲୋକ ବୋଲି କୁହାଯାଉଛି । ଏହାସହ କୋର୍ଟ ମଦ ବ୍ୟବସାୟୀ ଅମନଦୀପ ଢଲଙ୍କୁ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ପିଲ୍ଲାଇଙ୍କ ଉପରେ ଅଭିଯୋଗ ରହିଛି କି ସେ ଅବକାରୀ ନୀତି ପରିବର୍ତନ ପାଇଁ ଆମ୍ ଆଦମୀ ପାର୍ଟିକୁ ୧୦୦କୋଟି ଟଙ୍କା ଦେଇଛନ୍ତି ।

ସୂଚନା ଥାଉକି ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆଙ୍କୁ ଗିରଫ କରିଛି । ସିସୋଦିଆଙ୍କୁ ଫେବୃଆରୀ ୨୬ ତାରିଖରେ ସିବିଆଇ ତରଫରୁ ଗିରଫ କରାଯାଇଥିଲା ।