କେମିତି ବୁକିଂ କରିବେ ବିଶ୍ୱକପ ଟିକେଟ? ଏସବୁ ସାଇଟରେ ଉପଲବ୍ଧ ହେବ ଟିକେଟ । ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ପାଇଁ ବଢ଼ିଲାଣି ଆଗ୍ରହ ! ଜାଣନ୍ତୁ କେତେ ରହିବ ଟିକେଟର ମୂଲ୍ୟ?

490

କନକ ବ୍ୟୁରୋ : ଆଇସିସି ବିଶ୍ୱକପ ୨୦୨୩ ଭାରତରେ ଆୟୋଜିତ ହେଉଥିବାବେଳେ ଟିକେଟ ପାଇବା ପାଇଁ ବ୍ୟାକୁଳ ହେଉଛନ୍ତି କ୍ରିକେଟ ପ୍ରେମୀ । ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୧୫ ତାରିଖରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଯେତେବେଳେ ବି ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳେ ସବୁବେଳେ ଟିକେଟ କମ ସମୟରେ ବିକ୍ରି ହୋଇଯାଇଥାଏ । ବିଦେଶକୁ ମଧ୍ୟ ଖେଳ ଦେଖିବାକୁ ପହଚିଂଥାନ୍ତି ପ୍ରଶଂସକ । ତେବେ ଭାରତରେ ମ୍ୟାଚ ହେଉଥିବାବେଳେ ଏହି ମ୍ୟାଚ ଦେଖିବା ପାଇଁ ଚାହିଁ ବସିଛନ୍ତି ପ୍ରଂଶସକ । ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଜୁନ୍ ୨୭ ତାରିଖରେ ଆଇସିସ ପକ୍ଷରୁପ୍ରକାଶ ପାଇଛି । ୧୦ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟରେ ୪୮ଟି ମ୍ୟାଚ ଖେଳାଯିବ । ଅକ୍ଟୋବର ୫ ତାରିଖରୁ ଟୁର୍ଣ୍ଣାମେଂଟ ଆରମ୍ଭ ହେବାକୁ ଯାଉଛି । ଇଂଲଣ୍ଡ ଏବଂ ନ୍ୟୁଜି ଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ନଭେମ୍ବର ୧୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ସମସ୍ତ ଟିମ ଫୁଲ ଦମରେ ରହିଥିବାବେଳେ ଚଳିତ ବର୍ଷ ବିଶ୍ୱକପ ବେଶ ରୋମାଂଚକ ହେବ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି । ସବୁ ଦେଶ ଏବେ ଦମଦାର ଫର୍ମରେ ରହିଥିବାବେଳେ ଯୁବ ଏବଂ ଅଭିଜ୍ଞଙ୍କୁ ନେଇ ମଇଦାନକୁ ଓହ୍ଲାଇବେ । ଏଣୁ ମ୍ୟାଚ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ମ୍ୟାଚ ସୂଚୀ ଘୋଷଣା ହେବା ପରେ କେବେ ଟିକେଟ ଉପଲବ୍ଧ ହେବ ଏବଂ କେଉଁ ସାଇଟରୁ ମିଳିବ ତାକୁ ଚାହିଁ ବସିଛନ୍ତି ଫ୍ୟାନ୍ସ । କିନ୍ତୁ ଏଯାବତ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ କିମ୍ବା ଟିକେଟ ସମ୍ପର୍କରେ କୌଣସି ସ୍ପଷ୍ଟ କରାଯାଇନାହିଁ ।

ଏକ ଜାତୀୟ ଗଣମାଧ୍ୟମରେ କିନ୍ତୁ ଟିକେଟ ଉପଲବ୍ଧକୁ ନେଇ ଏକ ଖବର ପ୍ରକାଶ ପାଇଛି । ଯେଉଁଥିରେ ପ୍ରକାଶ ପାଇଛି କି କିଭଳି ପାଇପାରିବେ ଟିକେଟ । ଏବଂ କେଉଁ ସାଇଟରେ ଉପଲବ୍ଧ ହେବ ଟିକେଟ ସେ ସମ୍ପର୍କରେ କୁହାଯାଇଛି । ରିପୋର୍ଟରେ ପ୍ରକାଶ ପାଇଛି କି, ଆଇସିସିର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ । ଏହା ବ୍ୟତିତ ବୁକ ମାଇଁ ସୋ, ପେଟିଏମ୍ ଏବଂ ପେଟିଏମ ଇନସାଇଡରେ ଉପଲବ୍ଧ ହେବ । ଟିକେଟର ମୂଲ୍ୟ ୫ଶହ ଟଙ୍କାରୁ ଆରମ୍ଭ ହୋଇ ୧୦ ହଜାର ପର୍ଯ୍ୟନ୍ତ ହୋଇପାରେ । ସ୍ଥାନ ଅନୁଯାୟୀ ଟିକେଟର ମୂଲ୍ୟ ସ୍ଥିର କରାଯାଇପାରେ । ବିଶ୍ୱକପର ସମସ୍ତ ମ୍ୟାଚ ମୋଟ ୧୦ଟି ସ୍ଥାନରେ ଖେଳାଯିବ । ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳାଯିବ । କିନ୍ତୁ ଅକ୍ଟୋବର ୮ ତାରିଖରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ଦୃଢ଼ ଟିମ ସାମନାରେ ଘରୋଇ ଦଳ ପ୍ରଥମ ମ୍ୟାଚ ଖେଳୁଥିବାବେଳେ ଏହି ମ୍ୟାଚରେ ମଧ୍ୟ ଦର୍ଶକଙ୍କ ସଂଖ୍ୟା ବଢ଼ିବ । ଏଯାବତ ଟିକେଟ ବୁକିଂକୁ ନେଇ ଆଇସିସି ପକ୍ଷରୁ କୌଣସି ସ୍ପଷ୍ଠୀକରଣ ଦିଆଯାଇନଥିବାବେଳେ କେବେ ସୂଚନା ଦିଆଯାଉଛି ତାକୁ ଚାହିଁ ବସିଛନ୍ତି କ୍ରିକେଟପ୍ରେମୀ ।