କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ । ତିନୋଟି କୁକୁଡ଼ା ଫାର୍ମ କରି ଭଲ ରୋଜଗାର କରୁଛନ୍ତି ଭୋଗରାଇ ଗଣେଶ୍ୱରପୁର ଗାଁର ରିତାରାଣୀ ଜେନା

254

କନକ ବ୍ୟୁରୋ : ଦିନ ଥିଲା ମହିଳା ମାନେ କେବଳ ଘର କାମରେ ସୀମିତ ରହୁଥିଲେ । ହେଲେ ଏବେ ସମୟ ବଦଳିଛି । ମହିଳା ମାନେ ପୁରୁଷ ମାନଙ୍କ ଅପେକ୍ଷା ସବୁ କ୍ଷେତ୍ରରେ ଆଗରେ ଅଛନ୍ତି । ଗାଁ ହେଉ କି ସହର ସବୁଠି ମହିଳା ମାନେ ଆତ୍ମନିର୍ଭର ହେବା ପାଇଁ ଉଦ୍ୟମ କରି ସଫଳ ହେଉଛନ୍ତି । ସେହିଭଳି ଜଣେ ମହିଳା ହେଉଛନ୍ତି ବାଲେଶ୍ୱର ଭୋଗରାଇ ବ୍ଲକ ଗଣେଶ୍ୱରପୁର ଗାଁର ରିତାରାଣୀ ଜେନା । ଘରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସେ ପ୍ରମୁଖ ଭୁମିକା ନିଭାଇଛନ୍ତି । ନିଜସ୍ୱ ଉଦ୍ୟମରେ ରୋଜଗାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ରିତାରାଣୀ ୫ ବର୍ଷ ତଳେ ମା’ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀରେ ଜଣେ ସାଧାରଣ ସଭ୍ୟା ଭାବେ ସାମିଲ ହୋଇଥିଲେ । ସରକାରଙ୍କ ସହାୟତା ସମ୍ପର୍କରେ ଜାଣିବା ପରେ ୨୦୨୨ରେ ୫୦ ହଜାର ଟଙ୍କା ରୁଣ ନେଇ ଆରମ୍ଭ କଲେ କୁକୁଡ଼ା ଫାର୍ମ । ୨ ବର୍ଷ ଭିତରେ କୁକୁଡ଼ା ଫାର୍ମ ତାଙ୍କୁ ଭଲ ରୋଜଗାର ଦେଲା । ଆଉ ତା’ ପରେ ପଛକୁ ଫେରିନାହାନ୍ତି ରିତାରାଣୀ । ଗୋଟିଏ ଫାର୍ମରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ୩ଟି ଫାର୍ମରେ ପହଂଚିଛି ।

ଘରର ସମସ୍ତ କାମ କରିବା ସହ କୁକୁଡ଼ା ଫାର୍ମର ଦେଖାରଖା କରିବା, ଚାଷକାମ ଓ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ସମୟ ଦିଅନ୍ତି ରୀତାରାଣୀ । ଫାର୍ମରୁ ବାହାରୁଥିବା କୁକୁଡ଼ା ସେ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରି ଭଲ ରୋଜଗାର କରୁଛନ୍ତି । ଏଥିରେ ତାଙ୍କୁ ତାଙ୍କ ପରିବାର ଲୋକ ପୂର୍ଣ୍ଣ ସହଯୋଗ କରନ୍ତି । ରୀତାରାଣୀଙ୍କ ଏଭଳି ଉଦ୍ୟମ ପାଇଁ ତାଙ୍କ ପରିବାର ଓ ଏସଏଚଜି ଗ୍ରୁପର ସଦସ୍ୟା ମାନେ ତାଙ୍କୁ ବେଶ ପ୍ରସଂଶା କରିଛନ୍ତି ।

ଜଣେ ମହିଳାଙ୍କ ଏଭଳି ଉଦ୍ୟମ ଏବେ ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।