କନ୍ଧମାଳରେ ଫଳୁଛି ସୁଆଦିଆ ଲିଚୁ । ରୋଜଗାର ଦେଉଛି ଲକ୍ଷାଧିକ ଟଙ୍କା, ସାରା ରାଜ୍ୟ ପାଇଁ ଆଦର୍ଶ ଲିଚୁ ଚାଷୀ ପାଲଟିଛନ୍ତି ରଞ୍ଜିତ ଚୌଧୁରୀ

328

କନକ ବ୍ୟୁରୋ : ଗଛରେ ଫଳିଛ ପେନ୍ଥା ପେନ୍ଥା ଲିଚୁ । ଯୁଆଡ଼େ ଚାହିଁବେ ଖାଲି ଲିଚୁ ଆଉ ଲିଚୁ । ଦେଖିବାକୁ ଯେତିକି ସୁନ୍ଦର ଲାଗୁଛି, ଖାଇବାକୁ ବି ସେତିକି ସ୍ୱାଦିଷ୍ଟ । ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ଗୋଇବନ୍ଧା ଗାଁର ରଂଜିତ ଚୌଧୁରୀଙ୍କ ଲିଚୁ ବଗିଚାର ଚିତ୍ର । ରଞ୍ଜିତଙ୍କ ବାପା ଭଗବାନ ଚୌଧୁରୀ ୧୫ ଏକର ଜମିରେ ଫଳ ବଗିଚାଟେ କରିଥିଲେ । ୧୦ ବର୍ଷ ପୂବେ ୧୦୦ରୁ ଅଧିକ ଲିଚୁ ଗଛ ଲଗାଇଥିଲେ । ତେବେ ବାପାଙ୍କ ଆବର୍ତମାନରେ ପୁଅ ରଞ୍ଜିତ ଚୌଧୁରୀ ଫଳ ବଗିଚାର ରକ୍ଷଣାବେକ୍ଷଣ କରିବା ସହ ଲିଚୁ ଗଛର ଯତ୍ନ ନେଉଥିଲେ । ଏବେ ବଗିଚାରେ ଥିବା ସମସ୍ତ ଲିଚୁ ଗଛରେ ଫଳ ଫଳିଛି । ଗତ କିଛି ବର୍ଷ ହେଲା ତାଙ୍କ ବଗିଚାରୁ ଟନ୍ ଟନ୍ ଲିଚୁ ଅମଳ ହେଉଛି । ଯାହା ତାଙ୍କୁ ବେଶ ଭଲ ରୋଜଗାର ଦେଉଛି ।

ରଞ୍ଜିତଙ୍କ ୧୫ ଏକର ଫଳ ବଗିଚାରେ ଲିଚୁ ସହ ଆମ୍ବ, ସପୁରୀ, ହଳଦୀ, ଅଦା ମଧ୍ୟ ଚାଷ ହେଉଛି । କନ୍ଧମାଳର ଶୀତଳ ଜଳବାୟୁ ଓ ମୃତିକା ଲିଚୁ ଚାଷ ପାଇଁ ଅନୁକୂଳ ଥିବାରୁ ରଞ୍ଜିତ ତାଙ୍କ ବଗିଚାରୁ ପ୍ରତିବର୍ଷ ଦେଢ଼ରୁ ଦୁଇ କୁଇଂଟାଲ ଲିଚୁ ଅମଳ କରନ୍ତି । ବଜାର ଚାହିଦା ମୁତାବକ ୧୨୦ରୁ ୧୪୦ ଟଙ୍କା କିଲୋ ପିଛା ଦରରେ ବ୍ୟବସାୟୀଙ୍କୁ ବିକ୍ରି କରନ୍ତି । ବର୍ଷକୁ ପ୍ରାୟ ଦେଢ଼ରୁ ଦୁଇ ଲକ୍ଷ ଟଙ୍କା ରୋଜଗାର କରିବା ସହ ଗୋଇବନ୍ଧା ଗାଁର ଅନେକ ପରିବାରକୁ ରୋଜଗାର ଦେଇଛନ୍ତି । ତାଙ୍କ ବଗିଚାରେ କାମ କରି କିଛି ରୋଜଗାର କରୁଥିବାରୁ ଖୁସି ପ୍ରକାଶ କରିଛନ୍ତି କର୍ମଚାରୀ ।

ଭାରତରେ ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗରେ ପ୍ରଚୁର ପରିମାଣର ଲିଚୁ ଚାଷ ହୁଏ । ତେବେ କନ୍ଧମାଳର ଜଳବାୟୁରେ ଲିଚୁ ବି ସଫଳ ହୋଇପାରିବ ବୋଲି ପ୍ରମାଣିତ କରିଛନ୍ତି ରଞ୍ଜିତ । ଆଉ ଅନ୍ୟ ଚାଷୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । କିଛି ପ୍ରୋତ୍ସାହନ ମିଳିଲେ ରାଜ୍ୟର ଆହୁରି ଅନେକ ଚାଷୀ ଏହି ଚାଷ କରି ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି ।