ଗୋଟିଏ ଦିନରେ ପ୍ରକାଶ ପାଇଲା ଉଭୟ ମାଟ୍ରିକ ଓ ପ୍ଲସ୍-ଟୁ ପରୀକ୍ଷାଫଳ । ମାଟ୍ରିକରେ ପାସ ହାର ୯୬.୦୭ ପ୍ରତିଶତ, ଖୋର୍ଦ୍ଧାରେ ସର୍ବାଧିକ

62

କନକ ବ୍ୟୁରୋ : ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । ଚଳିତ ଥର ମାଟ୍ରିକ୍ ପରୀକ୍ଷାରେ ପାସ ହାର ରହିଛି ୯୬.୦୭ ପ୍ରତିଶତ । ଚଳିତ ଥର ପୁଅଙ୍କଠାରୁ ଆଗରେ ରହିଛନ୍ତି ଝିଅ । ଛାତ୍ରୀଙ୍କ ପାସ ହାର ରହିଛି ୯୬.୭୩ ପ୍ରତିଶତ । ଛାତ୍ରଙ୍କ ପାସ ହାର ରହିଛି ୯୫.୩୯ ପ୍ରତିଶତ । ପାସରେ ଖୋର୍ଦ୍ଧା ଜିଲ୍ଲାରେ ପାସହାର ସର୍ବାଧିକ ୯୭ ଦଶମିକ ୯୮ ପ୍ରତିଶତ ରହିଥିବାବେଳେ ନୂଆପଡା ଜିଲ୍ଲାରେ ସର୍ବନିମ୍ନ ୯୩ ଦଶମିକ ୯୧ ପ୍ରତିଶତ ରହିଛି । ୨୬୪୪ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଛି । ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ୨୦ ତାରିଖରୁ ଜୁନ ୧୨ ମଧ୍ୟରେ ରି-ଚେକିଂ ପାଇଁ ଅବେଦନ କରିପାରିବେ । ସେହିପରି ଜୁନ ୧୦ ତାରିଖରୁ ସପ୍ଲିମେଂଟାରୀ ପରୀକ୍ଷା ପାଇଁ ଫର୍ମ ପ୍ରକାଶ ପାଇବ ।
ସେହିଭଳି ପୁଣି ପୁଅଙ୍କୁ ପଛରେ ପକାଇଲେ ଝିଅ । ଉଚ୍ଚମାଧ୍ୟମିକ ଶିକ୍ଷା ଜାରି ହୋଇଥିବା ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳରେ ବାଜିମାତ ମାରିଛନ୍ତି ଝିଅ । କଳାରେ ପାସ ହାର ବୃଦ୍ଧି ପାଇଛି । ଗତବର୍ଷ ତୁଳନାରେ ପ୍ରାୟ ୨ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ବିଜ୍ଞାନ ଓ ବାଣିଜ୍ୟରେ ମଧ୍ୟ ବୃଦ୍ଧି ପାଇଛି ପାସ ହାର ।
ଯୁକ୍ତ ୨ ପରୀକ୍ଷା ଫଳ ।
୨୦୨୨-୨୩                          ୨୦୨୩-୨୪
କଳା ୭୮.୮୮%                      ୮୦.୯୫%
ବିଜ୍ଞାନ ୮୪.୯୩%                    ୮୬.୯୩%
ବାଣିଜ୍ୟ ୮୧.୧୨%                  ୮୨.୨୭%
ଧନ୍ଦାମୂଳକ ଶିକ୍ଷା ୬୭.୪୮%       ୬୮.୦୨%

ବଡ଼ କଥା ହେଉଛି, ସବୁଥିରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । କଳାରେ ୨ଲକ୍ଷ ୩୫ହଜାର ୨୧୮ ଜଣ ପରୀକ୍ଷା ଦେଇଥିଲେ । ସେଥିରୁ ୧ଲକ୍ଷ ୯୦ହଜାର ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧ଲକ୍ଷ, ୩୦ହଜାର ୭୭୧ ଜଣ ଛାତ୍ରୀ ପାସ କରିଥିବା ବେଳେ ୭୫ହଜାର ୯୧୩ ଜଣ ଛାତ୍ର ପାସ କରିଛନ୍ତି । କଳାରେ ଛାତ୍ରୀଙ୍କ ପାସ ହାର ୮୭.୫୬ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ରହିଛି ୭୨.୬୮ ପ୍ରତିଶତ । ସେହିପରି ବିଜ୍ଞାନରେ ୧ ଲକ୍ଷ ୧୫ହଜାର ୮୯୫ ପରୀକ୍ଷାର୍ଥୀ ଥିବା ବେଳେ ୧ ଲକ୍ଷ ୭୫୭ ଜଣ ପାସ କରିଛନ୍ତି । ବିଜ୍ଞାନରେ ଛାତ୍ରଙ୍କ ପାସ ହାର ୮୬.୨୧ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ ହାର ୮୭.୭୪ ପ୍ରତିଶତ ରହିଛି । ବାଣିଜ୍ୟରେ ୨୫ହଜାର ୮୯୭ ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ୨୧ ହଜାର ୩୦୮ ଜଣ ପାସ କରିଛନ୍ତି । ବାଣିଜ୍ୟରେ ଛାତ୍ରଙ୍କ ପାସ ହାର ୮୦.୪୦ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ ହାର ୮୫.୫୫ ପ୍ରତିଶତ ରହିଛି । ସେହିପରି ଧନ୍ଦାମୂଳକରେ ୧୮୩୧ ଛାତ୍ର ଓ ୨୦୦୩ ଛାତ୍ରୀ ପାସ ହୋଇଛନ୍ତି ।

କଳାରେ ୨୧ଟି, ବିଜ୍ଞାନରେ ୨୯୨ଟି ଏବଂ ବାଣିଜ୍ୟରେ ୯୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତପ୍ରତିଶତ ରେଜଲ୍ଡ ହୋଇଛି । କିଛି କଲେଜରେ ମଧ୍ୟ ଫଳାଫଳ ବେଶ୍ ଭଲ ରହିଛି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ଅନୁଷ୍ଠାନରେ ମିଠା ଖୁଆଇ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି ଛାତ୍ରଛାତ୍ରୀ । ସେହିପରି କେଏମ୍ବିବି କଲେଜରେ ଶତପ୍ରତିଶତ ଫଳାଫଳ ହୋଇଛି ।

ମାଟ୍ରିକ ପରେ ଯୁକ୍ତ ୨ ପରୀକ୍ଷା ଛାତ୍ର ଜୀବନର ବଡ଼ ସୋପାନ ବୋଲି କୁହାଯାଏ । ଏହାହିଁ ଜଣେ ବିଦ୍ୟାର୍ଥୀକୁ ଆଗକୁ ବଢ଼ିବାରେ ସହାୟକ କରିଥାଏ ।