ସାମନାକୁ ଆସିଲା ସୁନେଲି ରଥର ସତ ।  ମିଆଁମାରରୁ ଶ୍ରୀକାକୁଲମ, ସମୁଦ୍ରରେ ୩ ହଜାର କିଲୋମିଟରର ଯାତ୍ରା । ଝଡ ବତାସରେ ବି ସେମିତି ସମୁଦ୍ରରେ ଭାସୁଥିଲା ସୁନେଲି ରଥ ।

2,377

କନକ ବ୍ୟୁରୋ : ଚାରିମାସ ଧରି ସମୁଦ୍ର ଭିତରେ ଯାତ୍ରା କରୁଥିଲା ସୁନେଲି ରଥ । ଗତକାଲି ଆନ୍ଧ୍ରର ଶ୍ରୀକାକୁଲମ କୂଳରେ ଲାଗିଥିବା ସୁନେଲି ରଥକୁ ନେଇ ବେଶ ଉତ୍କଣ୍ଠା ପ୍ରକାଶ ପାଇଥିଲା । ଏହାପରେ କନକ ନ୍ୟୁଜ୍ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଥିଲା । ଏବଂ ଜଣାପଡିଥିଲା ଏହି ସୁନେଲି ରଥକୁ ମିଆଁମାରରେ ଗତ ଜାନୁଆରୀ ମାସରେ ଭସାଇ ଦିଆଯାଇଥିଲା । ଏହାପରେ ଝଡବାତ୍ୟା ଭିତରେ ଭାସି ଭାସି ଆସି ଶ୍ରୀକାକୁଲମ କୂଳରେ ଲାଗିଥିଲା ।

ବାତ୍ୟା ବେଳେ ସମୁଦ୍ର ଭିତରେ କେଉଁଠୁ ଭାସି ଆସିଲା ସୁନେଲି ରଥ, କେମିତି ଆନ୍ଧ୍ରର ସୁନାପଲ୍ଲୀ ଉପକୂଳରେ ଲାଗିଲା । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି, ଦେଖିବାକୁ ଲୋକଙ୍କ ଭିଡ ଜମୁଛି । ତେବେ ରଥରେ ଲେଖାଥିବା ଅକ୍ଷରକୁ ଗୁଗୁଲ ଟ୍ରାନସଲେଟରେ ଦେଖିବା ପରେ ବର୍ମିଜ ଭାଷା ବୋଲି ଜଣାପଡିବାରୁ ଏହା ମିଆଁମାର ଆସିଥିବା ସ୍ପଷ୍ଟ ହୋଇଛି ।

ସୁନେଲି ରଥକୁ ନେଇ ବଡ ସୂଚନା ଦେଇଛନ୍ତି, ଐତିହାସିକ ଗବେଷକ ଅନୀଲ ଧୀର । ସେ କହିଛନ୍ତି, ବୌଦ୍ଧ ଧର୍ମାବଲମ୍ବିମାନେ ନୂଆବର୍ଷରେ ସୁନା ଆକୃତିର ରଥ ବା ପାଗୋଡା ତିଆରି କରି ପୂଜାର୍ଚ୍ଚନା ପରେ ଇରାବଡି ନଦୀରେ ଭସେଇଥାନ୍ତି । ଯାହା ଗତ ଜାନୁୟାରୀ ୧୬ରେ ପାଳିତ ହୋଇଥିଲା । ତେଣୁ ଇରାବଡି ନଦୀରୁ ବଙ୍ଗୋପସାଗର ଦେଇ ଏହି ପାଗୋଡା ଆନ୍ଧ୍ର ଉପକୂଳକୁ ଭାସି ଆସିଥିବା ଅନୁମାନ କରାଯାଉଛି । ଯାହାର ଦୂରତା ପାଖାପାଖି ସାଢେ ୩ ହଜାର କିଲୋମିଟର । ଆଉ ସମୁଦ୍ରରେ ଏହି ରଥ ପାଖପାଖି ସାଢେ ୪ମାସ ଭାସିବା ପରେ ଆନ୍ଧ୍ର ଉପକୂଳରେ ଲାଗିଛି ।

ସୁନେଲି ରଥଟି ଦେଖିବାକୁ ଏକ ବୌଦ୍ଧ ମନ୍ଦିର ଭଳି ହୋଇଛି । ପାଗୋଡାର ଉଚ୍ଚତା ପ୍ରାୟ ୧୦ ଫୁଟ୍ ହୋଇଥିବାବେଳେ ଏଥିରେ ସୁନେଲି ରଙ୍ଗର ପ୍ରଲେପ ଦିଆଯାଇଛି । ବାତ୍ୟା, ଝଡ ଭିତରେ ଭାସି ଭାସି ହୋଇ ଆସିବା ସତ୍ୱେ ଏହି ସୁନେଲି ରଥର ଚାକଚକମ ଆଦୌ କମ୍ ହୋଇ ନଥିବା ଦେଖିବାକୁ ମିଳିଛି ।