ମିଳିଥିଲା ଆଶ୍ୱସ୍ତି, ଏବେ ବଢିବ ତାତି । ପାଣିପାଗୀ ବିଜ୍ଞାନୀଙ୍କ ଆକଳନ ଚାଲିଗଲା ବାତ୍ୟା, ଏବେ କଲବଲ କରିବ ତାତି ।

145

କନକ ବ୍ୟୁରୋ : ବାତ୍ୟା ଚାଲିଯିବା ପରେ ଏବେ ତାତିକୁ ନେଇ ଭୟ । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଗକୁ ତାତି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଏପରିକି ଆଭିନ୍ତରୀଣ ଓଡିଶାରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ଆଜି ମଧ୍ୟ ହଠାତ ପାଗରେ ପରିବର୍ତନ ଆସି, ଅଧିକାଂଶ ଅଂଚଳରେ ପ୍ରବଳ ଖରା ଓ ତାତି ଅନୁଭୂତ ହୋଇଛି ।

ବଙ୍ଗୋପସାଗରରେ ୭ ତାରିଖରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଉପକୂଳ ଆଡକୁ ଗତି କରିଥିଲା । ସମୁଦ୍ର ଭିତରେ ବଳ ଗୋଟାଇ ଧୀରେ ଧୀରେ ଆଗକୁ ବଢ଼ିଥିଲା ଓ ବୁଧବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ନରୋସପୁର ଓ ମଛଲିପଟନମ ନିକଟରେ ସ୍ଥଳଭାଗ ଛୁଇଁ ପୁଣି ରିକର୍ଭ କରିଥିଲା । ଆଉ ସମୁଦ୍ର ଭିତରେ ପୁଣି ଗତି କରିଥିଲା । କିନ୍ତୁ ସ୍ଥଳଭାଗ ଛୁଇଁବା ବେଳକୁ ଦୁର୍ବଳ ହୋଇଯାଇଥିଲା ବାତ୍ୟା ଅସାନି ଓ ଅବପାତରେ ପରିଣତ ହୋଇଯାଇଥିଲା । ଏବେ ସମୁଦ୍ର ଭିତରେ ଗତି କରୁଥିବା ଅସାନି ଆହୁରି ଦୁର୍ବଳ ହେବାରେ ଲାଗିଛି ।

ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ ସମୁଦ୍ର ଭିତରେ ଅସାନି ଆଗକୁ ବଢ଼ିଥିଲେ ବି ଦୁର୍ବଳ ହୋଇଯାଇଥିବାରୁ ଓଡିଶା ଉପରେ କୌଣସି ପ୍ରଭାବ ପଡି ନାହିଁ ।ଏପରିକି ଅତି କମ୍ ପବନ ବହିବା ସହ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇଛି ।

ବାତ୍ୟା ଓ କାଳବୈଶାଖୀ ପ୍ରଭାବରେ ଓଡିଶାରେ ବର୍ଷା ହେବା ଯୋଗୁଁ ତାତିରୁ ଟିକିଏ ତ୍ରାହି ମିଳିଥିଲା । ହେଲେ, ଏବେ ବାତ୍ୟା ଚାଲିଯିବା ପରେ ଆଗକୁ ରାଜ୍ୟରେ ପୁଣି ଥରେ ତାତି ବଢ଼ିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । କହିଛନ୍ତି, ଆଗାମୀ ଦୁଇରୁ ତିନି ଦିନ ଭିତରେ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ବଢ଼ିବ । ଦିନର ତାପମାତ୍ରା ୨ ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ।

ସେହିପରି ଏବର୍ଷ ଆଗୁଆ ମୌସୁମୀ ଆସିପାରେ । ମେ ୧୫ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପହଁଚିବାର ସମ୍ଭାବନା ରହିଛି ।