ବୋମା ପକାଉଥିଲେ ଅପରାଧୀ, ଗୁଳି ଫୁଟାଇଲା ପୋଲିସ । ଅଧରାତିରେ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ଆହତ, ଖସି ପଳାଇଲେ ସହଯୋଗୀ ।

123

କନକ ବ୍ୟୁରୋ : ରାଜଧାନୀରେ ଦିନକୁ ଦିନ ଡକାୟତି, ଲୁଟ୍, ଛିନତାଇ ବଢ଼ୁଥିବାବେଳେ ଆକ୍ସନ ମୋଡକୁ ଆସିଛି କମିଶନରେଟ୍ ପୋଲିସ । ଗତ ରାତିରେ ଅପରାଧ ଘଟାଇବା ପାଇଁ ଏକାଠି ହେଉଥିବା ଦୁର୍ଦ୍ଦାନ୍ତ ଅପରାଧୀ ଚକରା ଓ ତାଙ୍କ ଗ୍ୟାଙ୍ଗକୁ ଘେରିଯାଇଥିଲା ପୋଲିସ । ଆଉ ପୋଲିସ ଉପରକୁ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରିବାବେଳେ ପୋଲିସ ଚକରାକୁ ଏନକାଉଁଟର କରିଛି ।

ସମୟ : ରାତି ପ୍ରାୟ ୨ଟା ।ତାରିଖ: ୧୧ ମେ’ ୨୦୨୨ । ସ୍ଥାନ: ଭୁବନେଶ୍ୱର ବରମୁଣ୍ଡା ପଡ଼ିଆ । ରାତିଅଧରେ ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱରର ରାଜରାସ୍ତାରେ ଚେନ୍ ଲୁଟେରା ଛୁରି ଦେଖାଇ, ବନ୍ଧୁକ ଫୁଟାଇ ଆତଙ୍କ ଜାରି ରଖିଥିବା ବେଳେ ଏବେ ସେମାନଙ୍କ ଉପରେ ଫୁଟିଛି ଗୁଳି । ଚେନ୍ ଲୁଟେରାଙ୍କୁ ଗୁଳି ଫୁଟାଇ ସାବାଡ଼ କରିବାକୁ ରଣନୀତି ପ୍ରସ୍ତୁତି କରିନେଇଛି କମିଶନରେଟ ପୋଲିସ୍ ।

ପୋଲିସର କହିବା ଅନୁସାରେ ଖବର ମିଳଥିଲା ଯେ, ଚକରା ବାରିକ ଓ ତାର କିଛି ସହଯୋଗୀ ବରମୁଣ୍ଡା ପଡ଼ିଆରେ ଏକାଠି ହୋଇ ଅପରାଧ ଘଟାଇବା ପାଇଁ ଯୋଜନା କରୁଛନ୍ତି । ସେମାନଙ୍କୁ ଧରିବାକୁ ପହଂଚିଥିଲା ପୋଲିସ ଓ ସ୍ପେଶାଲ ଟିମର ଏକ ସ୍କ୍ୱାର୍ଡ । ହେଲେ ପୋଲିସକୁ ଦେଖି ଚକରା ଓ ତାର ସହଯୋଗୀ ବୋମାମାଡ଼ କରିବା ସହ ଗୁଳି ଚାଳଇଥିଲେ । ଜବାବରେ ପୋଲିସ କରିଥିଲା ଏନକାଉଣ୍ଟର । ଚକରା ଗୋଡରେ ଗୁଳି ବାଜିଥିବା ବେଳେ ତାର ସହଯୋଗୀ ମାନେ ଫେରାର ହୋଇଯାଇଥିଲେ ।

ରାଜଧାନୀରେ ବିଭନ୍ନ ଅପରାଧ ମାମଲାରେ ପୋଲିସ୍ ୱାଣ୍ଟେଡ ଲିଷ୍ଟରେ ଥିଲା ଚକରା । ରାହାଜାନି, ଡକାୟତି ସହ ଚେନ୍ ସ୍ନାଚିଂ ମାମଲାରେ ଅନେକ ବାର ତାର ନାଁ ବି ଆସିଛି । କୁଖ୍ୟାତ ଅପରାଧୀ ରବି ରାଓର ସହଯୋଗୀ ଭାବେ କାମ କରିବା ପରେ ନିଜର ଗ୍ୟାଙ୍ଗ ତିଆରି କରି ଅପରାଧ ଜାରି ରଖିଥିଲା ଚକରା । ବିଭିନ୍ନ ଥାନାରେ ତା’ ନାଁରେ ୨୦ରୁ ଅଧିକ ମାମଲା ରହିଛି । ଚକରା ଓ ସହଯୋଗୀ ଆସିଥିବା ଗାଡ଼ିରୁ ୨ଟି ହାତ ତିଆରି ବନ୍ଧୁୁକ ଓ ୫ ଟି ବୋମା ଜବତ କରିଛି ପୋଲିସ୍ ।

ଚକରାର ଡାହାଣ ଗୋଡରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏଥିରେ ଦୁଇ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ।