ନା ପେଟ୍ରୋଲ୍ ନା ଡିଜେଲ୍ । ପରିବେଶକୁ ପ୍ରଦୂଷଣମୁକ୍ତ କରିବାକୁ ସିଏନଜି ବସର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ।

817

କନକ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ‘ସିଏନଜି’ ବା ଇନ୍ଧନଯୁକ୍ତ ବସ୍ । ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଦେଶର ପ୍ରଥମ ଦୂରଗାମୀ ସିଏନଜି ବସର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବସରେ ବ୍ୟବହୃତ ହେଉଥିବା ସିଏନଜି ସିଲିଣ୍ଡରରେ ଥରେ ମାତ୍ର ସିଏନଜି ଭରିଲେ ବସଟି ୧ ହଜାର କିମି ପର୍ଯ୍ୟନ୍ତ ଯାତାୟତ କରିପାରିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଡେରାଡୁନ ପର୍ଯ୍ୟନ୍ତ ୫ଟି ଦୂରଗାମୀ ସିଏନଜି ବସ୍ ଯାତାୟତ କରିବ । ଏହାପରେ ଖୁବ ଶୀଘ୍ର ଦିଲ୍ଲୀରୁ ଜୟପୁର, ଚଣ୍ଡିଗଡ ଏବଂ ଆଗ୍ରାରେ ଏଭଳି ବସ୍ ଯାତାୟତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରାକୃତିକ ଗ୍ୟାସ ବିତରଣ କମ୍ପାନୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍ ଆଇଜିଏଲ ସହଯୋଗରେ ଅଧିକ କ୍ଷମତା ବିଶିଷ୍ଟ ସିଏନଜି ସିଲିଣ୍ଡର ତିଆରି କରାଯିବା ପ୍ରଂଶସାର ବିଷୟ । ସିଏନଜି ଗ୍ୟାସ ଶସ୍ତା, ପରିବେଶ ସନ୍ତୁଳନ, ଅନ୍ୟ ଇନ୍ଧନ ତୁଳନାରେ ଭଲ । ଯଦ୍ୱାରା ଅଧିକ ସମୟ ମଧ୍ୟ ବଂଚାଯାଇପାରିବ । ଆଗାମୀ ପିଢିଙ୍କୁ ଭଲ ଭିତିଭୂମି ଉପଲବ୍ଧ କରେଇବାରେ ତଥା ସେମାନଙ୍କ ଜୀବନ ଶୈଳି ପରିବର୍ତନ କରିବାରେ ଏହା ଭାରତ ସରକାରଙ୍କ ବଡ ପଦକ୍ଷେପ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଦେଶରେ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇବା ଭାରତ ସରକାରଙ୍କର ପ୍ରତିଶ୍ରୁତି ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ଉଦ୍ୟମ ଜାରୀ ରହିଛି । ଦେଶରେ ଉର୍ଜା ଭିତିଭୂମିର ବିକାଶ ପାଇଁ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରାଯାଉଛି । ପୂର୍ବରୁ ୧୯୯୮ ରୁ ୨୦୧୪ ମଧ୍ୟରେ ସାରା ଦେଶରେ ୩୪୦ ସିଏନଜି ଷ୍ଟେସନ ଥିଲା । ବିଗତ ୫ ବର୍ଷରେ ନୂଆ ୧୭୫ ସିଏନଜି ଷ୍ଟେସନ ଖୋଲାଯାଇଥିଲା ବେଳେ ଏବେ ତାହା ବଢି ମୋଟ ୫୧୫ ସିଏନଜି ଷ୍ଟେସନ ସ୍ଥାପନ ହେଲାଣି । ସେହିପରି ଦେଶରେ ପିଏନଜି ସଂଯୋଗ ୫ ଲକ୍ଷରୁ ୧୨ ଲକ୍ଷରେ ପହଁଚିଛି । ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ତାଙ୍କର ଦୃଢ ରାଜନୈତିକ ଇଚ୍ଛା ଶକ୍ତି କାରଣରୁ ୪୦୦ ଜିଲ୍ଲାରେ ସିଟି ଗ୍ୟାସ ବିତରଣ(ସିଜିଡି) ନେଟୱାର୍କ ପ୍ରତିଷ୍ଠା ହୋଇପାରିଛି ।