ଚୁପ ରହିଛି ଯିଏ, ଚେକ୍ ଦେଇଛି ସିଏ: ଗର୍ଜନ ନୁହେଁ ମୌନ ରହି ମୋଦିଙ୍କ ହାତରୁ ବିରୋଧୀ ଛଡାଉଛନ୍ତି ଗେରୁଆ ଗଡ । ଚାଣକ୍ୟଙ୍କ ସବୁ ଚାଲକୁ ଫେଲ୍ କରି ବିଜେପି ଶିବିରରେ ଆଣୁଛନ୍ତି ଝଡ ପରେ ଝଡ

391

କନକ ବ୍ୟୁରୋ: ଝାଡଖଣ୍ଡ ଝଡରେ ଝଡିପଡିଲା ପଦ୍ମ ପାଖୁଡା । ମହାମେଣ୍ଟର ମହାପବନରେ ଦୋହଲି ଗଲା ବିଜେପିର ଦିଲ୍ଲୀ କ୍ୟାମ୍ପ । ସଜସଜ ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ବିଜେପିକୁ ମହାଝଟକା ଲାଗିଥିବା ବେଳେ ଏବେ ପୁଣି ଝାଡଖଣ୍ଡ ଝଟକା ମୋଦି-ଶାହାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ୨୦୧୪ରେ ସାରା ଦେଶକୁ ଗେରୁଆ କରିବାକୁ ମୋଦି ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଧିରେଧିରେ ଫିକାଫିକା ହେଉଛି । ଆଉ ଗୋଟିଏ ପରେ ଗୋଟିଏ ବିଜେପି ଶାସିତ ରାଜ୍ୟ ମୋଦିଙ୍କ ହାତରୁ ଖସୁଛି ।

ତେବେ ପଦ୍ମ ପରାଜୟର ପୋଷ୍ଟମର୍ଟମରୁ ଜଣାପଡିଛି କି ଯେଉଁଠି ଯେଉଁଠି ମୋଦିଙ୍କ ବିରୋଧରେ ବିରୋଧୀ ଗର୍ଜି ନାହାନ୍ତି, ଚିତ୍କାର କରି ନାହାନ୍ତି କି ଟାର୍ଗେଟ କଲା ଭଳି କୌଣସି ମନ୍ତବ୍ୟ ଦେଇ ନାହାନ୍ତି ସେହି ସେହି ରାଜ୍ୟରେ ସେମାନେ ବାଜି ପଲଟାଛନ୍ତି, ବିଜେପିକୁ ଆଗେଇ ବାଦସାହା ବନିଛନ୍ତି ।

ଛତିଶଗଡ, ହରିୟାଣା, ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିରୋଧୀ ବିଜେପିକୁ ଗାଦିଚ୍ୟୁତ କରିବାକୁ କେହି ମୋଦିଙ୍କ ବିରୋଧରେ ସ୍ୱର ଉଠାଇ ନାହାନ୍ତି କିମ୍ବା ତାଙ୍କୁ ସମାଲୋଚନା କରି ନାହାନ୍ତି ମାତ୍ର ଚୁପ ରହି ଭିତରେ ଭିତରେ ବିଜେପିର ବଡ ବଡ ରଥୀ ମହାରଥୀଙ୍କୁ ଚିତପଟାଙ୍ଗ କରିଛନ୍ତି । ତେବେ ଏସବୁ ରାଜ୍ୟମାନଙ୍କରେ ବିରୋଧୀମାନେ ମୋଦିଙ୍କୁ ନୁହେଁ ବରଂ ଉକ୍ତ ରାଜ୍ୟର ରାଜାକୁ ନିଶାନା କରି ଗେରୁଆ ଗଡ ଭାଙ୍ଗିଛନ୍ତି । ଅର୍ଥାତ ସେଠାକାର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଜେପି ହାତରୁ କ୍ଷମତା ଛଡାଇ ନେଇଛନ୍ତି ।

ତେବେ ଏହି ନ୍ୟାୟରେ ଝାଡଖଣ୍ଡରେ ଛ ମାସରେ ବଦଳିଗଲା ପୂରା ଦୃଶ୍ୟପଟ୍ଟ । ଲୋକସଭା ନିର୍ବାଚନ ବେଳେ ଝାଡଖଣ୍ଡରେ ମୋଦି ମ୍ୟାଜିକ କାମ କରିଥିବା ବେଳେ ବିଧାନସଭା ନିର୍ବାଚନରେ କିନ୍ତୁ ସବୁ ଫୁସକି ଯାଇଛି । ମୋଦି ମ୍ୟାଜିକକୁ ଅକାମି କରିବାକୁ ବିରୋଧୀମେଣ୍ଟ ମୋଦିଙ୍କୁ ନୁହେଁ ବରଂ ମୋଦିଙ୍କ ପ୍ରତିନିଧି ଭାବେ ଛିଡା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରି ପ୍ରଧାନମନ୍ତ୍ରୀ ଏବଂ ଚାଣକ୍ୟଙ୍କୁ ଚେକ ଦେଇଛନ୍ତି । ଜେଏମଏମର ମୁଖ୍ୟ ହେମନ୍ତ ସୋରେନ ମୋଦିଙ୍କୁ ନୁହେଁ ବରଂ ରଘୁବର ଦାସଙ୍କୁ ହରାଇବା ଉଦ୍ଦେଶ୍ୟରେ ଏ ଯୁଦ୍ଧ ଲଢିଥିଲେ । କାରଣ ଗଛ ଗଡାଇବାକୁ ହେଲେ ପ୍ରଥମେ ଡାଳ ଓ ପତ୍ର ହାଣିବାକୁ ପଡେ ବୋଲି ବିରୋଧୀଙ୍କୁ ଭଲଭାବେ ମାଲୁମ ଥିଲା । ତେଣୁ ଚିତ୍କାର ନକରି ଚୁପି ଚୁପି ଟାର୍ଗେଟ ହାସଲ କରିଥିଲେ ।

ସେହିପରି ମହାରାଷ୍ଟ୍ରରେ ମୋଦିଙ୍କୁ ଦୁର୍ବଳ କରିବାକୁ ଦେବେନ୍ଦ୍ର ଫଡନାବିଶଙ୍କ ସହ ଶରଦ ପାୱାର ନିଜ ଚକ୍ରବ୍ୟୁହରେ ଫସାଇଥିଲେ ଆଉ ଶିବସେନାକୁ ଅସ୍ତ୍ର କରି ଧନୁତୀରରେ ପଦ୍ମ ପାଖୁଡା ଝଡାଇ ଦେଇଥିଲେ । ଖାଲି ମହାରାଷ୍ଟ୍ର ନୁହେଁ ହରିୟାଣାରେ ବି ଖଟ୍ଟରଙ୍କୁ ଗାଦିରୁ ଖସାଇ ମୋଦିଙ୍କୁ ମାତ ଦେବାକୁ କଂଗ୍ରେସର ଭୁପେନ୍ଦ୍ରସିଂହ ହୁଡ୍ଡାଙ୍କୁ ସାମ୍ନାକୁ ଆଣିଥିଲା । କଂଗ୍ରେସ ଭଳି କେଜ୍ରିୱାଲ ବି ସମାନ ଫଣ୍ଡା ଆପଣେଇ ସରକାର ଗଢିଛନ୍ତି ।

ତେବେ ଏ ତମାମ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ବାରି ହୋଇଯାଉଛି କି ଯେଉଁ ଯେଉଁ ରାଜ୍ୟରେ କଂଗ୍ରେସ ହାତ ଟେକିଛି ଅବା ମେଣ୍ଟ ମୋଦି ମ୍ୟାଜିକ ଭାଙ୍ଗି ନିଜର ଯାଦୁ ଦେଖାଇଛି ସେଠି ନିରବ ଅସ୍ତ୍ର କାମ କରିଛି । ଯିଏ ମୋଦିଙ୍କୁ ଟାର୍ଗେଟ ନକରିଛି ସିଏ ହିଁ ଗାଦି ଟଳମଳ କରି ବାଦସାହ ହୋଇଛି ।