ଭାତ ହାଣ୍ଡି ଲୋଭରେ ହାତୀ, ହିନ୍ଦୋଳ କୁନୁଆଁ ଗାଁରେ ପଶି ଆତଙ୍କ।

100

କନକ ବ୍ୟୁରୋ: ଢେଙ୍କାନାଳର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଜାରି ରହିଛି । ଗାଁ ଗଣ୍ଡାରେ ହାତୀ ପଶି ଉତ୍ପାତ କରୁଥିବା ବେଳେ ଘରଦ୍ୱାର ଭାଙ୍ଗି ଫସଲ ଖାଇଯାଉଛି ହାତୀ । ହେଲେ ଗାଁରେ ହାତୀକୁ ନେଇ ଏକ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ଗାଁ ଭିତରକୁ ହାତୀ ପଶିଛି ହେଲେ ତାର ମନ ଲାଗିଯାଇଛି ପଖାଳ ହାଣ୍ଡିରେ । ହାତୀ ମନଭରି ପଖାଳ ଖାଇ ପୁଣି ଫେରିଯାଇଛି । ଆଉ ଏହି ଦୃଶ୍ୟ କଏଦ ହୋଇଯାଇଛି କ୍ୟାମେରାରେ ।

ହିନ୍ଦୋଳ ରେଞ୍ଜ କୁନୁଆଁ ଗାଁରେ ହାତୀ ପଶି ଆତଙ୍କ ଖେଳାଇଛି । ହେଲେ ଗୋଟିଏ ହାତୀ ଜଣକ ଘରେ ପଶି ପଖାଳ ଖାଇବାକୁ ଲାଗିଥିଲା । ଘର ଝରକା ଦେଇ ଶୁଣ୍ଢ ଗଳାଇ ହାତୀଟି ଭାତ ହାଣ୍ଡି ନେବାକୁ ପ୍ରୟାସ କରୁଛି । ବାରମ୍ବାର ହାଣ୍ଡି ନେବାରେ ବିଫଳ ହେବାରୁ ଶେଷରେ ନିରୁପାୟ ହୋଇ ଶୁଣ୍ଢ ଗଳାଇ ହାତୀଟି ଭାତ ଖାଇବାରେ ଲାଗିଛି । ଭାତ ଖାଇ ସାରିବା ପରେ ହାତୀଟି ଜଙ୍ଗଲକୁ ଫେରିଯାଇଛି । ତେବେ ଏହି ଅଞ୍ଚଳରେ କିଛି ଦିନ ହେଲା ହାତୀ ଆତଙ୍କ ଖେଳାଇଥିବା ବେଳେ ଅଭିଯୋଗ ପରେ ବି କୌଣସି ପ୍ରକାର ପଦକ୍ଷେପ ନିଆଯାଇପାରୁନି । ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।