ଦିବ୍ୟାଙ୍ଗ ଯୁବକଙ୍କ ନିଆରା ଉଦ୍ୟମ: ଗାଁରେ ଆରମ୍ଭ କରିଛନ୍ତି କତା କାରଖାନା ଭଳି କ୍ଷୁଦ୍ର ଉଦ୍ୟୋଗ

137

କନକ ବ୍ୟୁରୋ: ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମ । ସେ ସିନା ନିଜ ଗୋଡରେ ଛିଡାଇ ପାରୁନହାନ୍ତି କିନ୍ତୁ ଅନ୍ୟ କୁ ରୋଜଗାରକ୍ଷମ କରିବା ପାଇଁ ଅଂଟା ଭିଡିଛନ୍ତି । ନିଜ ଗ୍ରାମରେ କତା ଦଉଡି ଓ ପାପୋଛ ତିଆରି ଛୋଟ ଉଦ୍ୟଗ କରି ୧୦ ରୁ ୧୨ ଜଣ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ନିଜେ ହୋଇ ପରିଛନ୍ତି ରୋଜଗାର କ୍ଷମ ।

ଦିବ୍ୟାଙ୍ଗ ଯୁବକଙ୍କ ନିଆରା ପ୍ରୟାସ । ନିଜସ୍ୱ ଉଦ୍ୟମରେ ଗାଁରେ ଆରମ୍ଭ କରିଛନ୍ତି ଏକ କ୍ଷୁଦ୍ର ଉଦ୍ୟୋଗ । ମା’ କାଳିଜାଇ କୋଇର ଓାର୍କ ନାମକ ଏକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ଗାଁ ମହିଳା ମାନଙ୍କୁ ଦେଇଛନ୍ତି ରୋଜଗାର । ଦିନେ ଘରେ ମା’ଙ୍କ ଠାରୁ ଗାଳି ଶୁଣିବା ପରେ ଘର ଛାଡ଼ି ଚାଲିଯାଇଥିଲେ କିଶୋର ଚନ୍ଦ୍ର ବେହେରା । ୧୯୯୪ରେ ସେ କଟକ ବାରଙ୍ଗ ଠାରେ କତା ଦଉଡ଼ି ଓ ପାପୋଛ ତିଆରି ପ୍ରଶିକ୍ଷଣ ନେଇ ଗାଁକୁ ଫେରିଥିଲେ । ଏବେ କତାରେ ତିଆରି ସାମଗ୍ରୀର ଚାହିଦା ବଢ଼ୁଥିବା ବେଳେ ନିଜ ଗାଁରେ ଆରମ୍ଭ କରିଛନ୍ତି ଏହି ଉଦ୍ୟୋଗ । ଏହି ପ୍ରଶିକ୍ଷଣ ଶିବିରରେ ୧୦ରୁ ୧୨ ଜଣ ଏସଏଚଜି ମହିଳା ପ୍ରଶିକ୍ଷଣ ନେଉଛନ୍ତି । କିଶୋର ବ୍ୟାଙ୍କରୁ କିଛି ଲୋନ୍ ନେଇ ମେସିନ୍ କିଣି କଂଚା ମାଲ ଆଣି ଏହି କାମ କରୁଛନ୍ତି । ବିଶେଷକରି ସାକ୍ଷୀଗୋପାଳ ଅଂଚଳରୁ କଂଚାମାଲ ସଂଗ୍ରହ କରନ୍ତି କିଶୋର । ସବୁଠାରୁ ବଡ଼ କଥା ହେଉଛି ଏଠାରେ ମହିଳା ମାନଙ୍କୁ ମାଗଣରେ ପ୍ରଶିକ୍ଷଣ ମିଳୁଛି । କତାରେ ତିଆରି ହେଉଥିବା ସାମଗ୍ରୀକୁ ସ୍ଥାନୀୟ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

ମହିଳା ମାନେ ଆଗରୁ ଘରେ ବସି ସମୟ ନଷ୍ଟ କରୁଥିଲେ । କିଶୋରଙ୍କ ଉଦ୍ୟୋଗରେ କାମ କରି ଏବେ ସେମାନେ କିଛି ରୋଜଗାର କରିପାରୁଛନ୍ତି । ଏଠାରୁ ତିଆରି ହେଉଥିବା କତା ଓ ପାପୋଛର ଚାହିଦା ରହିଥିବା ବେଳେ ବଜାରରେ ୪୦ରୁ ୬୦ଟଙ୍କାରେ ବିକ୍ରି ହେଉଛି । ଖଲ୍ଲିକୋଟ, କେଶପୁର ଓ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରେ ଏହି ସବୁ ସାମଗ୍ରୀ ବିକ୍ରି କରାଯାଉଛି । ତେବେ ଆଗକୁ ସରକାରୀ ସହାୟତା ମିଳିଲେ ଏହି ପ୍ରଶିକ୍ଷଣ କେନ୍ଦ୍ରର ଉନ୍ନତି ହେବା ସହ ଆନେକ ବେକାର ଯୁବକ ଯୁବତୀ ପ୍ରଶିକ୍ଷଣ ନେବା ସହ ରୋଜଗାର ପାଇପାରିବେ ।

ନିଜେ ଦିବ୍ୟାଙ୍ଗ ହୋଇ ବି ଜୀବନରେ କେବେ ହାର ମାନିନାହଁନ୍ତି କିଶୋର । ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ରୋଜଗାରର ରାସ୍ତା ଦେଖାଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।