ପଶ୍ଚିମାଝଡ଼ ଆଣିଦେଲା ଦୁଃଖ। ଉଜାଡିଦେଲା ବାରିପଦା ଅଞ୍ଚଳର ଚାଷୀଙ୍କ ତରଭୁଜ ଫସଲ ।

155

କନକ ବ୍ୟୁରୋ: ବିଲରେ ପଡିଛି ଶହ ଶହ ତରଭୁଜ । ଅମଳ ହେବା ସମୟରେ ପଶ୍ଚିମାଝଡ ଯୋଗୁଁ ଉଜୁଡିଯାଇଛି ଫସଲ । ମୟୁରଭଂଜ ଜିଲ୍ଲା ବେତନଟୀ ବ୍ଲକର ବିଭିନ୍ନ ଅଞ୍ଚଳରୁ ଏଭଳି ଦୃଶ୍ୟସାମ୍ନାକୁ ଆସିଛି । କୁଆପଥର ମାଡ ସାଙ୍ଗକୁ ବର୍ଷାରେ ଉଜୁଡିଯାଇଛି ତରଭୁଜ ଫସଲ । ଆଉ ୭ ଦିନ ପରେ ଅମଳ ହୋଇଥାନ୍ତା, ହେଲେ ମୟୁରଭଞ୍ଜର ତରଭୁଜ ଗାଁ କୁହାଯାଉଥିବା ମଛପଦା ଓ ଏହାର ଆଖାପାଖ ଅଞ୍ଚଳରେ ଏକର ଏକର ଜମିରେ ଚାଷ ହୋଇଥିବା ରଙ୍ଗବେରଙ୍ଗର ତାଇୱାନ ତରଭୁଜ ବର୍ଷା ମାଡରେ ଛିନଛତର ହୋଇଯାଇଛି । ଆଉ ଚାଷୀଙ୍କ ମୁଣ୍ଡରେ ଏହା ଚଡକ ପକାଇଛି ।

ପଶ୍ଚିମାଝଡ ବର୍ଷାରେ ମୁଖ୍ୟତଃ ମଛପଦାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତରଭୁଜ ଚାଷୀ ଗଭୀର କ୍ଷତିଗ୍ରସ୍ତ ହୋଇଛନ୍ତି । ପାଣିଜମି ରହିବା ଯୋଗୁଁ ଅନେକ ସ୍ଥାନରେ କଖାରୁ ଭଳି ତରଭୁଜ ସବୁ ଜମିରେ ପଚିଯିବା ଆଶଙ୍କା ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ଏକାଧିକ ଚାଷୀ ମିଶି ତାଇୱାନର ଏକ କମ୍ପାନୀ ଦ୍ୱାରା ତାଲିମପ୍ରାପ୍ତ ହୋଇ ପ୍ରାୟତଃ ୪୦୦ଏକର ଜମିରେ ନୂଆ ପ୍ରଜାତିର ତରଭୁଜ ଚାଷ କରିଥିଲେ । ବିହନ, ସାର ଓ କୀଟନାଶକ ଔଷଧ ବାବଦରେ ଋଣ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ଚାଷୀ । କିନ୍ତୁ ଏବେ କୁଆପଥର ମାଡ଼ରେ ତରଭୁଜ ସବୁ ଫାଟିଯାଇଛି ଓ ଖରା ପାଇଲା ପରେ ସବୁ ପଚି ସଢ଼ି ଯାଇଛି । ବର୍ତ୍ତମାନ କ୍ଷତିର ଭରଣା କରିବ କିଏ ? ତାକୁ ନେଇ ଚିନ୍ତାରେ ଅଛନ୍ତି ଚାଷୀ । ସରକାରୀ ସହୟତାକୁ ଅପେକ୍ଷା କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ ।