ଚିନ୍ତାରେ ଆମେରିକା, ସୋସିଆଲ ମିଡିଆରେ ଲିକ ହେଲା ପେଣ୍ଟାଗନର ତଥ୍ୟ: ଲିକ ଦସ୍ତାବିଜରୁ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ହେଲା ବଡ ଖୁଲାସା

536

କନକ ବ୍ୟୁରୋ: ଯେବେଠୁ ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ପେଂଟାଗନର କିଛି ଜରୁରୀ ଦସ୍ତାବିଜ ପ୍ରଘଟ ହୋଇଛି ସେବେଠୁ ଦେଶର ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ । କାରଣ ଏହି ସବୁ ଦସ୍ତାବିଜ ଲିକ ଯୋଗୁଁ କେବଳ ଆମେରିକାର ସୁରକ୍ଷା ସମ୍ବନ୍ଧିତ ତଥ୍ୟ ଲିକ ହୋଇନି ବଂର ଆଗକୁ ପେଂଟାଗନର କଣ ସବୁ ରଣନୀତି ରହିଛି?ବର୍ତମାନ କି ସବୁ ସିକ୍ରେଟ ମିଶନ ଚାଲିଛି ସେସବୁ ମଧ୍ୟ ପଦାରେ ପଡିଛି । ଏହା ଭିତରେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ ଖୁଲ୍ଲାସା ହୋଇଛି । ୟୁକ୍ରେନରେ ବ୍ରିଟେନ ଓ ନାଟୋର ସ୍ୱତନ୍ତ୍ର ସେନା ମୁତୟନ ହୋଇଥିବା ଆମେରିକାର ଲିକ କ୍ଲାସିଫ୍ଲାଏଡ ଡକ୍ୟୁମେଂଟରୁ ଜଣାପଡିଛି । ଏହି ସେନା ମଧ୍ୟରେ ବ୍ରିଟେନର ସ୍ୱତନ୍ତ୍ର ଫୋର୍ସର ସବୁଠୁ ବଡ ୟୁନିଟ, ଆମେରିକା, ଫ୍ରାନ୍ସ ଓ ନେଦରଲ୍ୟାଣ୍ଡର ଗୋଟିଏ ଲେଖାଏଁ ୟୁନିଟ ଉପସ୍ଥିତ ଅଛନ୍ତି । ତେବେ ୟୁକ୍ରେନର କେଉଁ ସ୍ଥାନରେ ଏହି ଫୋର୍ସ ମୁତୟନ ଅଛନ୍ତି ସେକଥା ଦସ୍ତାବିଜର ଉଲ୍ଲେଖ କରାଯାଇନି ।

ଗତ ଏକ ବର୍ଷରୁ ଉର୍ଦ୍ଧ ସମୟ ଧରି ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ହେଉନାହିଁ । ରୁଷକୁ ବିଶ୍ୱର ମହାଶକ୍ତି ମଧ୍ୟରେ ଗଣନା କରାଯାଉଥିଲେ ମଧ୍ୟ ଦୁର୍ବଳ ୟୁକ୍ରେନ ରୁଷକୁ କଡ଼ା ଜବାବ ଦେଇ ଆସୁଛି । ଏହା ପଛରେ ନାଟୋ ଓ ପାଶ୍ଚାତ୍ୟ ଦେଶର ସେନା ହାତ ଥିବା ବର୍ତମାନ ସ୍ପଷ୍ଟ ହେବାରେ ଲାଗିଛି ।

ଦସ୍ତାବିଜରେ ଏକଥା ମଧ୍ୟ କୁହାଯାଇଛି ୟୁକ୍ରେନ-ରୁଷ ଯୁଦ୍ଧରେ ଘରୋଇ ସେନା ରୁଷର ମୁକାବିଲା କରିବାରେ ସେତେ ଦକ୍ଷ ନୁହଁନ୍ତି । ୟୁକ୍ରେନର ଅସ୍ତ୍ରଶସ୍ତ୍ର ରୁଷ ମୁକାବିଲାରେ କମ ସଶକ୍ତ । ଫଳରେ କିଛି ମାସ ପରେ ୟୁକ୍ରେନ ସୈନ୍ୟଙ୍କ ଗତିବିଧି ଅଟକି ପାରେ । ତେଣୁ ଆଗାମୀ ଦିନରେ ୟୁକ୍ରେନକୁ ବଡ ସଙ୍କଟର ସମ୍ମୁଖୀନ ହୋଇପାରେ ।

ଏହି ଲିକ ଡକ୍ୟୁମେଂଟ ଘଟଣାକୁ ଖଣ୍ଡନ କରିଛି ୟୁକ୍ରେନ । ନାଟୋ କିମ୍ବା ବ୍ରିଟେନ ସୈନ୍ୟ ୟୁକ୍ରେନରେ ଉପସ୍ଥିତିର କୌଣସି ଖବର ନଥିବା କହିଛି କିଭ ପ୍ରଶାସନ । ଲିକ ଡକ୍ୟୁମେଂଟରେ ଅନେକ ଭୁଲ ତଥ୍ୟ ରହିଥିବା ୟୁକ୍ରେନ ଦାବି କରିଛି ।

ପେଂଟାଗନ ଦସ୍ତାବିଜରେ ଏକଥା ବି ରହିଛି ଯେ ଆମେରିକା ୟୁକ୍ରେନ ଓ ଦକ୍ଷିଣ କୋରିଆର ଗୁଇନ୍ଦାଗିରି ମଧ୍ୟ କରୁଛି ।ସେପଟେ ଘଟଣାକୁ ନେଇ ରୁଷର ଆଭିମୁଖ୍ୟ କଣ ରହିବ ତାକୁ ଅପେକ୍ଷା କରାଯାଇଛି ।