ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ସଂକ୍ରମଣ: ଦିନକରେ ୩୦% ଅଧିକ ରୋଗୀ ଚିହ୍ନଟ

420

କନକ ବ୍ୟୁରୋ: ଦେଶରେ ପୁଣି ଥରେ ଭୟ ବଢାଉଛି କରୋନା ଭାଇରସର ଦ୍ରୁତ ସଂକ୍ରମଣ । ଦୁଇ ଦିନ ର୍ପୂବେ ୫ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ତାହା ଏବେ ୧୦ ହଜାର ଅତିକ୍ରମ କରିଛି । ଏହାପରେ ଦେଶରେ ସକ୍ରିୟ ମାମଲା ୪୫ ହଜାର ମୁହାଁ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ମୁତାବିକ ଗତ ୨୪ ଘଂଟାରେ ଦେଶରେ ୧୦ ହଜାର ୧୫୮ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ୧୯ ଜଣଙ୍କ ପ୍ରାଣ ନେଇଛି କରୋନା ମହାମାରୀ । ବୁଧବାର ଅପେକ୍ଷା ଗୁରୁବାର ସଂକ୍ରମଣ ହାର ୩୦ ପ୍ରତିଶତ ଅଧିକ ରହିଛି । ବୁଧବାର ୭ ହଜାର ୮୩୦ ମାମଲା ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହି ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି ।

ନଜର ପକାନ୍ତୁ ଶେଷ ୫ଦିନର କରୋନା ଗ୍ରାଫ ଉପରେ-
୯ ଅପ୍ରିଲ – ୫,୩୫୭ ସଂକ୍ରମିତ
୧୦ ଅପ୍ରିଲ – ୫, ୮୮୦ ସଂକ୍ରମିତ
୧୧ ଅପ୍ରିଲ -୫,୬୭୬ ସଂକ୍ରମିତ
୧୨ ଅପ୍ରିଲ-୭, ୮୩୦ ସଂକ୍ରମିତ
୧୩ ଅପ୍ରିଲ -୧୦, ୧୫୮ ସଂକ୍ରମିତ

ରାଜଧାନୀ ଦିଲ୍ଲୀ, ଓ ମହାରାଷ୍ଟ୍ର ଚିନ୍ତା ବଢାଇଛି କରୋନା ସଂକ୍ରମଣ । ଦିଲ୍ଲୀରେ ୨୪ ଘଂଟାରେ ୧୧ ଶହ ୪୯ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି ୧୧ଶହ ୧୫ ନୂଆ ମାମଲା । ଦିଲ୍ଲୀରେ ଏବେ ସକ୍ରିୟ ସଂକ୍ରମଣ ୩ ହଜାର ୩୪୭ ରହିଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ୧୫ଶହ ଟପିଛି । ସେପଟେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏମ୍ସ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଉତରପ୍ରଦେଶର ସ୍କୁଲ ଓ କଲେଜରେ ବି ମାସ୍କ ପିନ୍ଧିବା କଟକଣା ଜାରି କରାଯାଇଛି ।

ସଂକ୍ରମଣ ବୃଦ୍ଧି ଭିତରେ କିନ୍ତୁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ କହିବା ମୁତାବିକ, ଆଗାମୀ ୧୦ରୁ ୧୨ ଦିନ ସଂକ୍ରମଣ ହାର ଏଭଳି ବୃଦ୍ଧି ପାଇବ ଓ ପରେ ଧିରେ ଧିରେ କମିବ । ଦେଶରେ ହଠାତ୍ କୋଭିଡ ମାମଲା ବୃଦ୍ଧିର କାରଣ ହେଉଛି ଏକ୍ସବିବି ଡଟ୍ ୱାନ୍ ଡଟ୍ ୱାନସିକ୍ସ, ଯାହା ଓମିକ୍ରନର ସବ ଭ୍ୟାରିଂୟାଟ ଅଟେ । ଏହା କୌଣସି ନୂଆ ଲହର ନୁହେଁ କେବଳ ଏଣ୍ଡେମିକ ସାଇକେଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ସଂକ୍ରମଣ ବଢୁଥିବା ହେତୁ ସିରମ ଇନଷ୍ଟିଚ୍ୟୁଟ୍ ଅପ୍ ଇଣ୍ଡିଆ ପୁଣିଥରେ ବୟସ୍କଙ୍କ ପାଇଁ କୋଭାସିଲ୍ଡ ଟୀକା ଉତ୍ପାଦନ ଆରମ୍ଭ କରିଛି । ଏବେ କମ୍ପାନୀ ପାଖେ ୬୦ଲକ୍ଷ ବୁଷ୍ଟର ଡୋଜ୍ ଉପଲବ୍ଧ ରହିଛି ୨୦୨୧ରେ କୋଭାସିଲ୍ଡ ଉତ୍ପାଦନ ବନ୍ଦ କରିଦିଆଯାଇଥିଲା । ଏବେ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣିଥରେ ଆରମ୍ଭ ହୋଇଛି ଟୀକା ନିର୍ମାଣ ।