ସଞ୍ଜୟଙ୍କ ସହଯୋଗୀ ମଲେ କେମିତି ? ଦିନ ବିତୁଛି ନୂଆ ନୂଆ ଥିଓରୀ ସାମ୍ନାକୁ ଆସୁଛି

111

କନକ ବ୍ୟୁରୋ: ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ଏହା ଭିତରେ ୧୦ ଦିନ ବିତି ସାରିଲାଣି । ହେଲେ ଏବେ ବି ରହସ୍ୟ ଘେରରେ ରହିଛି ମୃତ୍ୟୁର କାରଣ । ମୃତ୍ୟୁର କାରଣ ପାଇବାରେ ବିଫଳ ହୋଇଛି ତଦନ୍ତକାରୀ ଟିମ୍ । ଅନ୍ୟପଟେ ଶବ ବ୍ୟବଛେଦ ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତ ଚିତ୍ତଙ୍କ ପରିବାର ଲୋକେ ।

ଚିତ୍ତରଞ୍ଜନଙ୍କ ମୃତ୍ୟୁର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେବାର ଏହା ଭିତରେ ସାତ ଦିନ ବିତିଗଲାଣି । କିନ୍ତୁ ଏଯାଏ ଚିତ୍ତଙ୍କ ମୃତ୍ୟୁର କାରଣ କଣ, ସେ ନେଇ କୌଣସି ପ୍ରମାଣ ପାଇନି ତଦନ୍ତକାରୀ ଟିମ୍ । ଅନ୍ୟପଟେ ଆସିଥିବା ଶବ ବ୍ୟବଛେଦ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚିତ୍ତଙ୍କ ପରିବାର ଲୋକେ । ରିପୋର୍ଟରେ ହତ୍ୟାକାଣ୍ଡ ନେଇ କୌଣସି ସୂଚନା ଦିଆଯାଇନଥିବାରୁ ସନ୍ଦେହ ପ୍ରକାଶ କରିଛନ୍ତି ।

  • ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ଚିତ୍ତଙ୍କ ପରିବାର
  • ବାଟବଣା କରିବାକୁ ହୋଇଛି କି ଷଡଯନ୍ତ୍ର?

ଚିତ୍ତରଞ୍ଜନଙ୍କ ମୃତ୍ୟୁର ଦଶ ଦିନ ପରେ ତାଙ୍କ ଫୋନ କଲର ଯାଞ୍ଚ କରାନଯିବା, ପୁରୀର ଅରୁଣ ମିଶ୍ର ନାମକ ବ୍ୟକ୍ତିଙ୍କ ବିରୋଧରେ ପରିବାର ଲୋକ ଅଭିଯୋଗ ଆଣିଥିଲେ ବି ତଦନ୍ତ ପରିସରଭୁକ୍ତ ନକରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତଦନ୍ତକୁ ଜାଣିଶୁଣି ବାଟବଣା କରିବାକୁ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛନ୍ତି । ବିଜେପି କହିଛି ତଦନ୍ତକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

ଏପଟେ ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ ଚାଲିଛି ମିଛ ଧରା ପରୀକ୍ଷା । ଆଜି ମଧ୍ୟ ଜଣଙ୍କର ଲାଏ ଡ଼ିଟେକ୍ସନ ଟେଷ୍ଟ କରାଯାଇଛି । ଗତକାଲି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଗନ୍ନାଥ ଓ ଜଣେ ମହିଳାଙ୍କ ମିଛ ଧରା ପରୀକ୍ଷା ହୋଇଥିଲା । ତେବେ ସେହି ମହିଳା ଜଣଙ୍କ କିଏ ଓ ଏହି ପୁରା ମାମଲା ତାଙ୍କର କ’ଣ ସମ୍ପୃକ୍ତି ରହିଛି ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଏହି ଟେଷ୍ଟ ସମୟରେ ଏକ୍ସପର୍ଟ ମାନେ ଚିତ୍ତ ମୃତ୍ୟୁ ମାମଲା ସମ୍ପର୍କିତ ଏକାଧିକ ପ୍ରଶ୍ନ ପଚାରିଥିବା ଜଣାପଡ଼ିଛି ।