ଭ୍ରଷ୍ଟଙ୍କୁ ସରକାରୀ ଚାବୁକ୍ : ପୁଣି ୨୨ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବିଦା କଲେ ମୋଦି ସରକାର

989

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ସରକାରୀ ବିଭାଗର ସଫେଇ । ଆଉ ତ୍ରାହି ପାଇବେନି ଦୁର୍ନୀତିଗ୍ରସ୍ତ ଅଧିକାରୀ । ଅଭିଯୋଗ ପ୍ରମାଣିତ ହେଲେ ଚାକିରିରୁ ବିଦା ହେବା ଥୟ । ଲାଞ୍ଚ, ଦୁର୍ନୀତି ଓ ଆୟର୍ବିଭୂତ ସମ୍ପତ୍ତି ଠୁଳ ମାମଲାରେ ମୋଦି ସରକାର ୨.୦ରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଦୁର୍ନୀତିରେ ଛନ୍ଦି ହୋଇଥିବା ଅଧିକାରୀଙ୍କୁ ବଳପୂର୍ବକ ଅବସରପ୍ରଦାନ କରାଯାଉଛି । ଦୁର୍ନୀତି ଓ ଅନ୍ୟ ମାମଲାରେ ଅଭିଯୁକ୍ତଙ୍କୁ ଚାକିରିରୁ ନିଲମ୍ବିତ କରିବାର ପ୍ରକ୍ରିୟା ଚାଲୁ ରହିଛି । ଏହି କଡ଼ିରେ କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଓ ସୀମା ଶୁଳ୍କ ବୋର୍ଡ଼ ସିବିଆଇସିର ୨୨ ରୁ ଅଧିକ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ କରିଛନ୍ତି ମୋଦି ସରକାର ।

ଦୁର୍ନୀତି ବିରୋଧରେ ମୋଦି ସରକାରଙ୍କ ବଡ଼ ଅଭିଯାନ । ‘ନା ଖାଉଙ୍ଗା ନା ଖାନେଦୁଙ୍ଗା’ ନ୍ୟାୟରେ ଦ୍ୱିତୀୟ ପାଳିରେ ଶକ୍ତ ମୋଦି ସରକାର । ପୂର୍ବରୁ ପାଖାପାଖି ୨୭ ଜଣ ଅଧିକାରୀଙ୍କୁ ଚାକିରିରୁ ବଳପୂର୍ବକ ବିଦାୟ ଦେବା ପରେ ଏବେ ପୁଣି ଦୁର୍ନୀତିଗସ୍ତ ଅଧିକାରୀଙ୍କ ଉପରେ ସରକାରଙ୍କ କଡ଼ା ନଜର ପଡ଼ିଛି । ଏଏନଆଇ ସୂଚନା ଅନୁସରେ ସିବିଆଇସିର ୨୨ ଜଣ ଅଧିକାରୀଙ୍କୁ ବଳପୂର୍ବକ ଭାବେ ଚାକିରିରୁ ବିଦା କରିଛନ୍ତି ମୋଦି ସରକାର । ଯେଉଁ ବରିଷ୍ଠ ଅଧିକାରୀ ମାନଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ସମସ୍ତେ ସୁପରିଟେଣ୍ଡେଣ୍ଟ ଏବଂ ଏଓର ର‌୍ୟାଙ୍କର ବୋଲି ଜଣାପଡ଼ିଛି ।  ମୌଳିକ ନିୟମ ୫୬(ଜେ) ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ୨୭ ଜଣ ଅଧିକାରୀଙ୍କୁ ବଳପୂର୍ବକ ଅବସର ପ୍ରଦାନ ଦିଆଯାଇଥିଲା । ଦ୍ୱିତୀୟ ପାଳିର ସରକାରରେ ପାଖାପାଖି ୪୯ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ଚାକିରିରୁ ବିଦା କରିସାରିଛନ୍ତି ମୋଦି । ତେବେ ଦ୍ୱିତୀୟ ପାଳିରେ ମୋଦି ସରକାରଙ୍କ ରୁଦ୍ର ରୂପ ଦେଖି ଥରହର ହେଉଛନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ ।