ଲାଲୁଙ୍କ ଘରେ ସିବିଆଇ, ଦିନକରେ ଦୁଇଥର ମାରାଥନ୍ ଜେରା

74

କନକ ବ୍ୟୁରୋ : ଜମି ବଦଳରେ ରେଲୱେ ଚାକିରି ଦେବା ମାମଲାରେ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବଙ୍କୁ ଜେରା କରିଛି ସିବିଆଇ । ସକାଳେ ୨ ଘଣ୍ଟା ଜେରା ପରେ ଅପରାହ୍ଣରେ ପୁଣିଥରେ ଲାଲୁଙ୍କୁ ପଚରାଉଚରା କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଲାଲୁ ବର୍ତମାନ ତାଙ୍କ ଝିଅ ମିସା ଭାରତୀଙ୍କ ସହ ଦିଲ୍ଲୀରେ ରହୁଛନ୍ତି । ତେଣୁ ସିବିଆଇ ମିସାଙ୍କ ଘରେ ଲାଲୁଙ୍କୁ ଜେରା କରିଛି । ଲାଲୁଙ୍କୁ ପଚରାଉଚରା କରିବା ନେଇ କଡ଼ା ପ୍ରତିକ୍ରିୟା ରଖିଛି ଆରଜେଡି । ବିଶେଷକରି ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଏକ ଧମକଭରା ଅନ୍ଦାଜରେ ସିବିଆଇକୁ ସମାଲୋଚନା କରିଛନ୍ତି ।

ରୋହିଣୀ ଟ୍ୱିଟ୍ କରି ଲେଖିଛନ୍ତି, ‘ପାପାଙ୍କୁ ଲଗାତର ହଇରାଣ କରାଯାଉଛି । ଯଦି ତାଙ୍କୁ କିଛି ହୋଇଯାଏ, ତେବେ ମୁଁ କାହାକୁ ଛାଡ଼ିବି ନାହିଁ । ପାପାଙ୍କୁ ହଇରାଣ କରିବା ଆଦୌ ଠିକ୍ ନୁହେଁ । ଏସବୁ କଥା ମନେ ରହିବ । ସମୟ ବଡ଼ ବଳବାନ । ଆଉ ସମୟର ବହୁ ଶକ୍ତି ଥାଏ । ଏକଥା ମନେ ରଖନ୍ତୁ ।’

ସିବିଆଇ ଜେରାକୁ ନେଇ ବିଜେପି ଓ କେନ୍ଦ୍ର ସରକାର ଉପରେ ବର୍ଷିଛି ଆରଜେଡି । ତେବେ ଦଳ ସିବିଆଇ ଉପରେ କୌଣସି ଦୋଷାରୋପ କରିନାହିଁ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଜେରା କରୁଥିବା କହିଛି ଦଳ । ଆମ ନେତା କିଛି ଭୁଲ କରିନାହାନ୍ତି । ତାଙ୍କୁ କେବଳ ହଇରାଣ କରିବା ପାଇଁ କେନ୍ଦ୍ର ସରକାର ଏଭଳି ଚକ୍ରାନ୍ତ କରୁଥିବା କହିଛନ୍ତି ଆରଜେଡି ନେତା । ସେପଟେ ବିଜେପି କହିଛି, ସ୍ୱତନ୍ତ୍ର ଏଜେନ୍ସି ଭାବେ ସିବିଆଇ ତା’ର କାମ କରୁଛି ।

କ’ଣ ଏହି ଲ୍ୟାଣ୍ଡ ଫର ଜବ୍ ସ୍କାମ୍?
– ଲ୍ୟାଣ୍ଡ ଫର ଜବ୍ ସ୍କାମ୍ ମାମଲା ୧୪ ବର୍ଷ ତଳର
– ୨୦୦୪ରୁ ୨୦୦୯ ଯାଏଁ ରେଳମନ୍ତ୍ରୀ ଥିଲେ ଲାଲୁ ପ୍ରସାଦ ଯାଦବ
– ଜମି ଦେବା ବଦଳରେ ଲୋକଙ୍କୁ ଚାକିରି କରାଇବା ପାଇଁ ଦେଇଥିଲେ ଅଫର
– ସିବିଆଇ ଏହି ମାମଲାରେ ମେ’ ୧୮ ତାରିଖରେ ମାମଲା ରୁଜୁ କରିଥିଲା
– ଲୋକଙ୍କୁ ପ୍ରଥମେ ଗ୍ରୁପ୍-ଡି’ରେ ପଦରେ ସବଷ୍ଟିଚ୍ୟୁଟ୍ ଭାବେ ଭର୍ତ୍ତି କରାଯାଇଥିଲା
– ପରେ ପରିବାରଲୋକେ ଜମି ଡିଲ୍ କରିଥିଲେ
– ଯାହା ପରେ ସେମାନଙ୍କ ଚାକିରି ନିୟମିତ କରାଯାଇଥିଲା

ଏହା ପୂର୍ବରୁ ସୋମବାର ଲାଲୁଙ୍କ ପତ୍ନୀ ରାବଡୀ ଦେବୀଙ୍କୁ ପଚରାଉଚରା କରିଥିଲା ସିବିଆଇ । ଜମି ବଦଳରେ ଚାକିରି ଦୁର୍ନୀତି ସଂକ୍ରାନ୍ତରେ ରାବଡୀଙ୍କୁ ୪ଘଂଟା ଜେରା ହୋଇଥିଲା ।