ସିବିଆଇ ପରେ ଇଡି ସ୍କାନରରେ ସିସୋଦିଆ, ତିହାର ଜେଲରେ ମାରାଥନ୍ ପଚରାଉଚରା

93

କନକ ବ୍ୟୁରୋ : ସିବିଆଇ ପରେ ଏବେ ଇଡି ସ୍କାନରରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତିହାର ଜେଲର ସେଲ୍ ନମ୍ବର ଏକରେ ଥିବା ଆମ୍ ଆଦମୀ ପାର୍ଟିର ଏହି ବରିଷ୍ଠ ନେତାଙ୍କୁ ପଚରାଉଚରା କରିଛି ଇଡି । ମଦ ଦୁର୍ନୀତି ସହ ସଂପୃକ୍ତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡି ଅଧିକାରୀମାନେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଆଧାରରେ ବୟାନ ରେକର୍ଡ କରିଛନ୍ତି । କୋର୍ଟଙ୍କ ଠାରୁ ଅନୁମତି ପାଇବା ପରେ ଇଡି ସିସୋଦିଆଙ୍କୁ ତିନିଦିନ ଧରି ପଚରାଉଚରା କରିବ । ସେପଟେ ସିସୋଦିଆଙ୍କ ବ୍ୟକ୍ତିଗତ ସହାୟକ ଦେବେନ୍ଦ୍ର ଶର୍ମାଙ୍କୁ ପଚରାଉଚରା କରିଛି ସିବିଆଇ । ଅଭିଯୋଗ ରହିଛି ଯେ ସିସୋଦିଆଙ୍କ କହିବା ଅନୁସାରେ ଦେବେନ୍ଦ୍ର ନିଜ ଖର୍ଚ୍ଚରେ ଏକ ମୋବାଇଲ କିଣିଥିଲେ । ଆଉ ଖୋଦ୍ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏହାର ବ୍ୟବହାର କରୁଥିଲେ ।

ସେପଟେ ଆମ୍ ଆଦମୀ ପାର୍ଟି ଏଥର ହୋଲି ମନାଇବ ନାହିଁ । ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀକୁ ବିରୋଧ କରି ଦଳୀୟ ନେତାମାନେ ହୋଲି ଦିନ ମଉନ ଧାରଣ କରିବେ । ଏହାସହ ସବୁ କର୍ମୀ ଦେଶ ପାଇଁ ପ୍ରାର୍ଥନା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ମଧ୍ୟ ଜେଲରେ ଥିବା ଦୁଇ ଆପ୍ ନେତା ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ବାହାଦୂର ବୋଲି ସମ୍ବୋଧନ କରିଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ସାହସୀ ନେତାକୁ ଜେଲ୍ ପଠାଇଛନ୍ତି । ଆମର ଦୁଇ ନେତା ଦେଶ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ବୋଲି କେଜ୍ରିୱାଲ କହିଛନ୍ତି । ୭୫ ବର୍ଷର ଶିକ୍ଷାବ୍ୟବସ୍ଥାକୁ ସିସୋଦିଆ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି ।

ସେପଟେ ଏହି ମାମଲାରେ ହାଇଦ୍ରବାଦର ମଦ ବ୍ୟବସାୀୟ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କୁ ଗିରଫ କରିଛି ଇଡି । ଗିରଫ ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁ ଓ ପତ୍ନୀ ଗୀତିକା ମହେନ୍ଦ୍ରୁ ଏବଂ ତାଙ୍କ କମ୍ପାନୀ ଇଣ୍ଡୋସ୍ପିଟ ଗ୍ରୁପ୍ ସହ ମଧ୍ୟ ପିଲ୍ଲାଇଙ୍କ ସମ୍ପର୍କ ରହିଛି । ପିଲାଇ ମାର୍ଚ୍ଚ ୧୩ ତାରିଖ ଯାଏ ଇଡି ହେପାଜତରେ ରହିବେ ।