ବେଉସା ବୁଡାଇଲା ବ୍ରିଜ: ଆଉ ଚାଲୁନି ରିଙ୍କିଙ୍କ ଡଙ୍ଗା, ଅର୍ଥାଭାବରୁ ବନ୍ଦ ରହିଲା ପାଠପଢା

220

କନକ ବ୍ୟୁରୋ: ଆଜି ହେଉଛି ଜାତୀୟ କନ୍ୟାରତ୍ନ ଦିବସ । ଆଜି ଆମେ ଏଭଳି ଜଣେ କନ୍ୟାରତ୍ନଙ୍କ ବିଷୟରେ ଜାଣିବା, ଯାହାକୁ ଦେଖିଲେ ଆପଣ ଗର୍ବ ଅନୁଭବ କରିବେ । ଝିଅଟିଏ ଘାଟରେ ନିଜେ ଡଙ୍ଗା ଚଳାଇ ପାଠ ପଢିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଆସନ୍ତୁ ଜାଣିବା କଟକ ଜିଲ୍ଲା ବାଙ୍କୀର କନ୍ୟାରତ୍ନ ରିଙ୍କି ବେହେରାଙ୍କ କାହାଣୀ ।

କଟକ ଜିଲ୍ଲା ବାଙ୍କୀ ଚର୍ଚ୍ଚିକା ସାହିର ଚର୍ଚ୍ଚିତ ଝିଅ ରିଙ୍କି ବେହେରା । ପରିବାରର ଆର୍ଥିକ ସ୍ଥିତି ସୁଧାରିବା ସହ ନିଜ ପାଠପଢା ପାଇଁ ନଦୀରେ ଡଙ୍ଗା ଚଳାଇ ଯାତ୍ରୀ ପରିବହନ କରନ୍ତି ରିଙ୍କି । ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ପାସ୍ ପରେ ଉଚ୍ଚ ଶିକ୍ଷା ପାଇଁ ଇଛା ଅଛି, ହେଲେ ତାହା ସମ୍ଭବ ହେଉନାହିଁ । କାରଣ ତାଙ୍କ ଡଙ୍ଗାରେ ଆଉ ଯାତ୍ରୀ ହେଉନାହାନ୍ତି କି ସେ ରୋଜଗାର କରିପାରୁନାହାନ୍ତି ।

ରିଙ୍କି ଯେଉଁ ଘାଟରେ ଡଙ୍ଗା ଚଳାଉଥିଲେ ଏବେ ସେହି ଘାଟରେ ଟି ସେତୁ ତିଆରି ହୋଇଛି । ତେଣୁ ଲୋକଙ୍କ ପାଇଁ ଆଉ ଡଙ୍ଗାର ଆବଶ୍ୟକତା ପଡୁନି । ଫଳରେ ଘାଟରେ ପଡି ପଡି ଡଙ୍ଗା ଏବେ ଭାଙ୍ଗି ଯିବାକୁ ବସିଲାଣି । ସେପଟେ ରିଙ୍କି ମଧ୍ୟ ଅର୍ଥ ଅଭାବରୁ ପାଠ ପଢାରେ ପୂର୍ଣ୍ଣଛେଦ ପକାଇ ଘର କାମକୁ ଆଦରି ନେଇଛନ୍ତି ।