ପଞ୍ଜାବ ନିର୍ବାଚନ ନେଇ ବିଜେପି ମେଣ୍ଟର ଆସନ ବୁଝାମଣା, ଜାଣନ୍ତୁ କିଏ ଲଢିବ କେତେ ଆସନ ?

196

କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନ ନେଇ ଆଜି ଏନଡିଏ ମେଣ୍ଟର ଆସନ ବୁଝାମଣା ଚୁଡାନ୍ତ ହୋଇଛି । ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟରେ ସାମିଲ ହୋଇଥିବା କ୍ୟାପଟେନ ଅମରିନ୍ଦର ସିଂଙ୍କ ପଞ୍ଜାବ ଲୋକ କଂଗ୍ରେସ ଦଳକୁ ବିଜେପି ୩୭ ଆସନ ଛାଡିଥିବା ବେଳେ ପୁରୁଣା ସହଯୋଗୀ ସଂଯୁକ୍ତ ଅକାଳୀଦଳକୁ ୧୭ ଟି ଆସନ ଦେଇଥିବା ବେଳେ ବିଜେପି ୬୫ ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି ।

ଏନେଇ ଦିଲ୍ଲୀରେ ଆୟୋଜିତ ଏକ ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି କି ପଞ୍ଜାବ ପାଇଁ ସୁରକ୍ଷା ମୁଦ୍ଦା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହାସହ ଚଳିତ ନିର୍ବାଚନ ଆଗାମୀ ପୀଢିଙ୍କୁ ସୁରକ୍ଷିତ ରଖିବାକୁ ପଞ୍ଜାବ ଭୋଟର ନିଷ୍ପତ୍ତି ନେବେ । ଅନ୍ୟପଟେ ପଞ୍ଜାବରେ ଏନଡିଏ ସରକାର ଆସିଲେ ରାଜ୍ୟର ଆର୍ଥିକ ଦୂରାବସ୍ଥାରୁ ଉଦ୍ଧାର କରିବାକୁ ପ୍ରୟାସ କରିବା ସହ ୧୯୮୪ ଦଙ୍ଗାର ଯାଂଚ ପାଇଁ ଏସଆଇଟି ଗଠନ କରାଯାଇଥିବା କଥା ନଡ୍ଡା କହିଛନ୍ତି ।

କହିରଖୁ କି ପଞ୍ଜାବରେ ବିଜେପିର ସ୍ଥିତି ଦୁର୍ବଳ ରହିଥିବା ବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂଙ୍କ ଚେହେରାରେ ସେଠାରେ ବିଜେପି ନିର୍ବାଚନ ଲଢିବାକୁ ଯାଉଛି । ଅନ୍ୟପଟେ ପଞ୍ଜାବ ରାଜନୀତି ଓ ନିର୍ବାଚନୀ ପ୍ରସ୍ତୁତକୁ ନଜର କଲେ ପଞ୍ଜାବରେ ବିଶେଷ ଭାବେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି ।