୨୦୨୨ ଆଇପିଏଲରେ ନଜର ଆସିପାରନ୍ତି ଓଡିଆ ଖେଳାଳି: କମିଟିକୁ ୫ ଜଣଙ୍କ ନାଁ ପଠାଇଛି ଓସିଏ, ଜାଣନ୍ତୁ କେଉଁମାନେ ଅଛନ୍ତି ଲିଷ୍ଟରେ?

536

କନକ ବ୍ୟୁରୋ: ସାରା ଦେଶରେ କ୍ରିକେଟର କ୍ରେଜ ରହିଛି । ୨୦୨୨ ଆଇପିଏଲରେ ଅଂଶ ଗ୍ରହଣ ଲାଗି ଓଡିଶାର ୫ ଜଣ ଖେଳାଳିଙ୍କ ନାଁ ଚର୍ଚ୍ଚା ହେଉଛି । ଶୁଭ୍ରାଂଶୁ ସେନାପତି, ଅଭିଶେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି । ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ହେବାକୁ ଥିବା ଆଇପିଏଲ ନିଲାମରେ ଓଡିଆ ଖେଳାଳିଙ୍କ ଭାଗ୍ୟ ବଦଳିପାରେ ବୋଲି ଆଶା କରାଯାଉଛି । ତେବେ ବିପ୍ଳବ ସାମନ୍ତରାୟଙ୍କ ପରେ ଆଉ କେଉଁ ଓଡିଆ ଆଇପିଏଲ୍ରେ ନଜର ଆସିବେ, ତାହା ଚଳିତ ଅକ୍ସନରେ ଜଣାପଡିବ । ତେବେ ନିଜର ପ୍ରଦର୍ଶନକୁ ନେଇ ଆଇପିଏଲ୍ର ଆଶା ରଖିଛନ୍ତି ଢେଙ୍କାନାଳର ବିକାଶ ।

ଓଡିଆ ପୁଅଙ୍କୁ ଆଇପିଏଲରେ ମିଳିବ କି ସୁଯୋଗ । ଆଇପିଏଲରେ ସାମିଲ କରିବା ପାଇଁ ୫ ଜଣ ଖେଳାଳିଙ୍କ ନାଁ ବିସିସିଆଇକୁ ଦେଇଛି ଓସିଏ । ସେମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳର ରିଟାୟାର୍ଡ ଆର୍ମି ମେଜର କୈଳାସ ରାଉତଙ୍କ ପୁଅ ବିକାଶ ରାଉତ । ଚଳିତ ଆଇପିଏଲରେ ତାଙ୍କୁ ଖେଳିବାର ସୁଯୋଗ ମିଳିବ ବୋଲି ସେ ଆଶା ରଖିଛନ୍ତି । ସଚିନ ତେନ୍ଦୁଲକରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ କ୍ରିକେଟରେ ମନନିବେଶ କରିଥିବା ବିକାଶ ରାଂଚିରେ ଧୋନୀଙ୍କ କ୍ରିକେଟ କୋଚିଂ ସେଂଟରରେ ପୂର୍ବତନ କ୍ରିକେଟର ଅଜିତ ଅଗରକର, ଯୁବରାଜ ସିଂ ଠାରୁ ବୋଲିଂ ଏବଂ ବ୍ୟାଟିଂ ପ୍ରଶିକ୍ଷଣ ନେଇଛନ୍ତି ।

ଜାତୀୟସ୍ତର ଇଂଟ୍ରା କ୍ଲବ ମ୍ୟାଚ, ଇଂଟର କ୍ଲବ ଟୁର୍ଣ୍ଣାମେଂଟ ଖେଳି ସାରିଥିବା ବିକାଶ ୨୦୦୯ରୁ ଢେଙ୍କାନାଳ ପାଇଁ କଳାହାଣ୍ଡି କପ ଖେଳି ଆସୁଛନ୍ତି । ୨୦୨୧ ନଭେମ୍ବରରେ ଓଡିଶା ଦଳରୁ ୨୦-୨୦ ମ୍ୟାଚରେ ଗୋଆ ବିପକ୍ଷରେ ଦଳକୁ ବିଜୟୀ କରିବାରେ ତାଙ୍କର ପ୍ରମୁଖ ଭୁମିକା ରହିଥିଲା । ତେବେ ୨୦୧୪ରେ ବିକାଶଙ୍କ କାନ୍ଧ ଅପରେସନ୍ ପରେ ସେ ଏବେ ଲେଗ୍ ସ୍ପିନ ବୋଲିଂ କରୁଛନ୍ତି ।

ମୁମ୍ବାଇ ଈଣ୍ଡିଆନ୍ସ ଏବଂ ଦିଲ୍ଲୀ କାପିଟାଲସ ଦଳ ସହିତ ଟ୍ରେନିଂ କ୍ୟାମ୍ପରେ ବେଶେ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି ବିକାଶ । ତେଣୁ ତାଙ୍କୁ ଆଇପିଏଲରେ ଅଂଶ ଗ୍ରହଣ କରିବାରେ ସୁଯୋଗ ମିଳିପାରେ ବୋଲି ଆଶାବାଦୀ ଅଛନ୍ତି ।