ବିଜେପିର ମିଶନ ୨୦୨୪: ଲୋକସଭା ଆସନ ୮ରୁ ୧୮ରେ ପହଂଚିବା ଲକ୍ଷ୍ୟରେ ଦଳ

84

କନକ ବ୍ୟୁରୋ: ଭ୍ରଷ୍ଟାଚାର ଅଭିଯୋଗ ଆଣିବା ସହ ରାଜ୍ୟ ସରକାରକୁ ଉପାଡି ଫିଙ୍ଗି, ଡବଲ ଇଂଜିନର ସରକାରକୁୁ ଆଣିବାକୁ ଆହ୍ୱାନ ଦେଇଥିଲେ ଜେପି ନଡ୍ଡା । ଏଭଳି କିଛି ଭାଷଣରେ ଉତ୍ସାହିତ ହୋଇଯାଇଥିଲେ ଭାରତୀୟ ଜନତା ପାର୍ଟିର କର୍ମୀ । ପଂଚାୟତ ଏବଂ ପୌର ନିର୍ବାଚନରେ ବିଜେଡିଠାରୁ ବହୁ ପଛରେ ପଡିଯାଇଥିବା ବିଜେପି, ଧାମନଗରରେ ବିଜୟ ସହ ପ୍ରତ୍ୟାବର୍ତନ କରିଥିଲା । କିନ୍ତୁ ୨୪ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ପଦମପୁର ଉପ- ନିର୍ବାଚନରେ ପୁଣି ଥରେ ପଛରେ ପଡିଯାଇଥିଲା ଦଳ । ଏବେ ୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଛି ରାଜ୍ୟ ବିଜେପି । ଆଉ କର୍ମୀଙ୍କୁ ମନ୍ତ୍ର ଦେବା ପାଇଁ ଓଡିଶା ଆସୁଛନ୍ତି ମୁଖିଆ ।

ବିଜେପି ଟାର୍ଗେଟରେ ଲୋକସଭା ଆସନ
୮ ରୁ ୧୮ରେ ପହଂଚିବା ଲକ୍ଷ୍ୟରେ ଦଳ
ଏପଟେ ୨୬’ରେ ‘୨୪’ ଲାଗି ବିଜେଡିର ପ୍ରସ୍ତୁତି

୨୦୧୯ ସାଧାରଣ ନିର୍ବାଚନରେ ୮ଟି ଲୋକସଭା ସିଟ ହାତେଇଥିବା ବିଜେପି, ଏବେ ୧୮ଟି ସିଟ ହାସଲ କରିବା ଲକ୍ଷ୍ୟରେ ରଖିଛି । ଏଥିପାଇଁ ରାଜ୍ୟରେ ଦଳ ଆରମ୍ଭ କରିଛି ଲୋକସଭା ପ୍ରବାସ କାର୍ଯ୍ୟକ୍ରମ । କେନ୍ଦ୍ର ମନ୍ତ୍ରୀଙ୍କ ସାଙ୍ଗକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ଘନଘନ ଲୋକସଭା କ୍ଷେତ୍ର ଗସ୍ତ କରୁଛନ୍ତି । ଆସନ୍ତା ୨୮ରେ ପୁରୀ ଏବଂ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରି ତୃଣମୂଳ ସ୍ତରର କର୍ମୀଙ୍କ ମନୋବଳ ବଢାଇବେ ନଡ୍ଡା । ଆଉ ଏପଟେ ୨୬ ତାରିଖରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସର ସିଲଭର ଜୁବଲି । ଏହି ଆଳରେ ୨୪ ଲାଗି ପ୍ରସ୍ତୁତି ଆରମ୍ଭ କରୁଛି ବିଜେଡି । ଦଳର ତୃଣମୂଳ ସ୍ତରର କର୍ମୀଙ୍କୁ ୨୪ ଲାଗି ପ୍ରସ୍ତୁତ ହେବାକୁ ମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ବିଜେପି ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସି ପ୍ରଚାର କରିବାକୁ ଯୋଜନା କରାଯାଇଛି । ଆଉ ଏପଟେ ପ୍ରତିଷ୍ଠା ଦିବସରୁ ବିଜେଡି ଆରମ୍ଭ କରୁଛି ମିଶନ ୨୦୨୪ । ମାସେ ପର୍ଯ୍ୟନ୍ତ ବ୍ଲକ, ପଂଚାୟତ ଏବଂ ଜିଲ୍ଲାସ୍ତରରେ ଉତ୍ସବ ପାଳନ କରି ଲୋକଙ୍କ ପାଖକୁ ପହଂଚିବାକୁ ଚେଷ୍ଟା କରିବ ଦଳ ।