ମାସ୍କ ପିନ୍ଧିବାକୁ ଓ ହାତ ଧୋଇବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ: କହିଲେ, ସୁରକ୍ଷିତ ରହିଲେ ସବୁ ଉତ୍ସବର ଉଠାଇପାରିବେ ମଜା

152

କନକ ବ୍ୟୁରୋ: ଭୂତାଣୁ କେତେ ଭୟଙ୍କର ପରିଣାମ ଆଣିପାରେ ଏବଂ ମୃତ୍ୟୁ କେତେ ଯନ୍ତ୍ରଣା ଦାୟକ ହୋଇପାରେ, ଚାଇନାରୁ ଆସୁଥିବା ଏହି ସବୁ ଚିତ୍ର ତାର ପ୍ରମାଣ ।ବେଡ୍ ଉପରେ ଛଟପଟ ହେଉଥିବା ରୋଗୀ, ଚିକିତ୍ସା ପାଇଁ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଲୋକ ଏବଂ ଶବଗୃହରେ ଲମ୍ବା ଧାଡ଼ିରେ ରଖାଯାଇଥିବା ମୃତଦେହ, ସାରା ବିଶ୍ୱକୁ ଆନ୍ଦୋଳିତ କରିଦେଉଛି । ଚିତ୍ର ଯେତିକି ଭୟଙ୍କର, ଭୂତାଣୁକୁ ନେଇ ଆସୁଥିବା ସଂଖ୍ୟା ଆହୁରି ଚିନ୍ତାଜନକ ।

ନୂଆ ଭାରିଆଂଟ ବିଏଫ-୭ କବଜାରେ ୯୧ ଦେଶ, ଚୀନରେ ୨୦ ଦିନରେ ୨୫ କୋଟି ଆକ୍ରାନ୍ତ ! ଜେଜିଆନ୍ ପ୍ରଦେଶରେ ଦୈନିକ ସଂକ୍ରମଣ ୧୦ ଲକ୍ଷ, ଜାପାନରେ ଦୈନିକ ସଂକ୍ରମଣ ୧ ଲକ୍ଷ ୭୩ ହଜାର ଦକ୍ଷିଣ କୋରିଆରେ ଦୈନିକ ସଂକ୍ରମଣ ୫୮ ହଜାର । ବିଦେଶରୁ ଆସୁଥିବା ସଂକ୍ରମଣର ଏହି ସଂଖ୍ୟା, ଭାରତକୁ ସତର୍କ କରିଦେଇଛି । ଉତ୍ସବର ଦିନ ପାଖେଇ ଆସୁଥିବାରୁ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ସଂକ୍ରମଣ ବଢ଼ୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦେବା ସହ, ଯଦି ସୁରକ୍ଷିତ ରହିବା ଆଗକୁ ସବୁ ଉତ୍ସବର ମଜା ଉଠାଇପାରିବା ବୋଲି ମନ କି ବାତ୍ କାର୍ଯ୍ୟକ୍ରମର କହିଛନ୍ତି ନରେନ୍ଦ୍ର ମୋଦି ବିଶେଷଜ୍ଞ ଡାକ୍ତର ମଧ୍ୟ କରୋନା ନିୟମ ମାନିବା ସହ ମାସ୍କ ପିନ୍ଧିବା ସପକ୍ଷରେ ମତ ଦେଇଛନ୍ତି ।

ବିଦେଶରୁ ଆସୁଥିବା କରୋନାର କରୁଣକାହାଣୀ ଭିତରେ ଆଶ୍ୱସ୍ତ କରିଛି ଆଇସିଏମ୍ଆରର ପୂର୍ବତନ ବୈଜ୍ଞାନିକ ଡାକ୍ତର ସମୀରଣ ପଣ୍ଡାଙ୍କ ମତାମତ । ସେ କହିଛନ୍ତି- ବିଏଫ ୭ ଅଧିକ ସଂକ୍ରାମକ କିନ୍ତୁ ମାରାତ୍ମକ ନୁହେଁ ।

ଭାରତରେ ଚୀନ୍ ଭଳି ଅବସ୍ଥା ହେବ ନାହିଁ । କାରଣ ଭାରତୀୟଙ୍କ ପାଖରେ ହାଇବ୍ରିଡ୍ ୟୁମିନିଟି ରହିଛି । ମହାମାରୀ ପରିଚାଳନା କରିବାର ଅଢେଇ ବର୍ଷର ଅଭଭିଜ୍ଞତା ରହିଛି ।ଦେଶର ଅଧିକାଂଶ ଲୋକ ଦୁଇଟି ଡୋଜ୍ ଟିକା ନେଇ ସାରିଛନ୍ତି । ଅନେକ ଲୋକ ବୁଷ୍ଟର ନେଇଛନ୍ତି । ତେଣୁ ଭୟଭିତ ହେବାର କାରଣ ନାହିଁ ବୋଲି କହିଛନ୍ତି ଡାକ୍ତର ସମୀରନ୍ ପଣ୍ଡା । ଏହି ମତକୁ ବିଶେଷଜ୍ଞ ଡାକ୍ତର ମଧ୍ୟ ଗ୍ରହଣ କରିଛନ୍ତି ।

ଏସବୁ ଭିତରେ ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଭାରତ । ଆସନ୍ତା ୨୭ ତାରିଖରେ ସାରା ଦେଶରେ ସ୍ୱାସ୍ଥ୍ୟ ସରଞ୍ଜାମର ଏକ ମକଡ୍ରିଲ୍ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ରୋଗୀଙ୍କ ପାଇଁ ଅକ୍ସିଜେନ ବ୍ୟବସ୍ଥା, ଆଇସିୟୁର ପ୍ରସ୍ତୁତି ଆଦିର ମକଡ୍ରିଲ ହେବ । ଏହା ବ୍ୟତିତ ସ୍ୱାସ୍ଥ୍ୟ ସେବାର ସମସ୍ତ ପ୍ରସ୍ତୁତି ପାଇଁ ତତ୍ପର ରହିଛି ଭାରତ ।