ହେତୁବାଦୀଙ୍କୁ ଚ୍ୟାଲେଂଜ କରି ଜ୍ୟୋତିଷ ସମ୍ମିଳନୀ: ନୂଆବର୍ଷ ପାଇଁ ରାଜ୍ୟ ଓ ଦେଶର ଭାଗ୍ୟ ଆକଳନ

228

କନକ ବ୍ୟୁରୋ: ଗ୍ରହଣରେ ଚିକେନ ଖାଇବାକୁ ନେଇ ହେତୁବାଦୀ ଓ ପରମ୍ପରାବାଦୀଙ୍କ ଭିତରେ ବେଶ ବିବାଦ ହୋଇଥିଲା ।ପ୍ରସଙ୍ଗକୁ ନେଇ ଚର୍ଚା ଥମିନଥିବାବେଳେ ହେତୁବାଦୀଙ୍କୁ ଚ୍ୟାଲେଂଜ ଦେଇ ଆୟୋଜନ ହୋଇଛି ଜ୍ୟୋତିଷ ସମ୍ମିଳନୀ ।ଭୃଗୁ ଜ୍ୟୋତିଷ ସଂସ୍ଥାନ ପକ୍ଷରୁ ଭୁବନେଶରରେ ରାଜ୍ୟ ଓ ରାଜ୍ୟ ବାହାର ଜ୍ୟୋତିଷ ମାନଙ୍କୁ ନେଇ ଆୟୋଜନ ହୋଇଛି ଜ୍ୟୋତିଷ ସମ୍ମିଳନୀ । ବଡ କଥା ହେଉଛି ସମ୍ମିଳନୀରେ ନୂଆ ବର୍ଷର ଭାଗ୍ୟ ଓ ଭବିଷ୍ୟତକୁ ନେଇ ଗଣନା କରିଛନ୍ତି ଜ୍ୟୋତିଷ । ସ୍ୱାଭାବିକ ଭାବରେ ଏହା ପୁଣି ଥରେ ହେତୁବାଦୀଙ୍କ ଦେହରେ ନିଆଁ ଲଗାଇ ଦେଇଛି ।

କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଜ୍ୟୋତିଷମାନେ ରାଜ୍ୟ ଓ ଦେଶର ରାଜନୈତିିକ ଭବିଷ୍ୟତ ବିଷୟରେ ଗଣନା କରିଛନ୍ତି । ଜ୍ୟୋତିଷଙ୍କ ଆକଳନ ଅନୁସାରେ
-୨୦୨୩ରେ ନବୀନ୍ଙ୍କ ରାଜନୈତିକ ଯାତ୍ରା ସହଜ ରହିବ
-କିନ୍ତୁ ରାଜ୍ୟରେ ଅଧିକ ସକ୍ରିୟ ହେବେ ବିରୋଧୀ
-ଏହାକୁ ମାତ ଦେବାକୁ ନବୀନଙ୍କୁ କରିବାକୁ ପଡିପାରେ ନୂଆ ରଣନୀତି
-ରାହୁଲ ଗାନ୍ଧିଙ୍କ ପାଇଁ ୨୦୨୩ ପୂର୍ବ ବର୍ଷ ଅପେକ୍ଷା ଭଲ ରହିବ
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଗ୍ୟ ପୂର୍ବ ଭଳି ଚମକିବ
ଏହାରି ଭିତରେ ଚମକାଇ ଦେଲା ଭଳି ଆକଳନଟି ହେଉଛି , ବାରିପଦାରୁ ଆସିଥିବା ଜ୍ୟୋତିଷ ମୌସୁମୀ ଦାଶ କହିଛନ୍ତି , ଜଣେ ମହିଳାଙ୍କୁ ରାଜ୍ୟ ନେତୃତ୍ୱର ଭାର ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ।

ଜ୍ୟୋତିଷଙ୍କ ପ୍ରତିଟି ଭବିଷ୍ୟବାଣୀ ଉପରେ ପ୍ରଶ୍ନ ଉଠାଇଛନ୍ତି ହେତୁବାଦୀ । ନିଜ ବ୍ୟବସାୟ ବଢାଇବା ପାଇଁ ଜ୍ୟୋତିଷ ମାନେ ସରଳ ଲୋକଙ୍କୁ ଭୁଆଁ ବୁଲାଉଥିବା କଥା କହିଛନ୍ତି । ଏଗୁଡିକ ବିଜ୍ଞାନ ସମ୍ମତ ନୁହେଁ । ତେଣୁ ଜ୍ୟୋତିଷଙ୍କ କଥାରେ ବିଶ୍ୱାସ ନ କରି ନିଜ ଉପରେ ବିଶ୍ୱାସ ରଖିବାକୁ କହିଛନ୍ତି ହେତୁବାଦୀ । ହେତୁବାଦୀ ଓ ପରମ୍ପରାବାଦୀଙ୍କ ଏହି ବିବାଦ ସାଧାରଣ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଥିବ ନିଶ୍ଚୟ ।