ବନ୍ୟା ଉଜାଡି ଦେଲା ଫସଲ, ପାଣିରେ ପଚିଲା ପରିବା: ମହାନଦୀରେ ଆସିଥିବା ବନ୍ୟାରେ ବେହାଲ ପରିବା ଚାଷୀ

113

କନକ ବ୍ୟୁରୋ: ମାତ୍ର ଦୁଇ ଦିନ ପୂର୍ବରୁ ସବୁଜ ପନିପରିବାରେ ହସୁଥିଲା ପରିବା ଝୁଡି କୁହାଯାଉଥିବା ବିଭିନ୍ନ ନଦୀ ଉପକୂଳରେ ଥିବା ଫସଲ କିଆରୀ । କିନ୍ତୁ ନଦୀରେ ବନ୍ୟା ଆସି ସବୁ କିଛି ଉଜାଡି ଦେଇଛି । ହଜାର ହଜାର ହେକ୍ଟର ଜମିରେ ବନ୍ୟାଜଳ ଲହଡି ଭାଂଗୁଛି । ପାଣିରେ ବୁଡିଯିବା ଯୋଗୁଁ ପୋଟଳ, ଜହ୍ନି, ଝୁଡଙ୍ଗ, କଲରା ଭଳି ପରିବା ଗଛ ପଚି ଷଢ଼ି ନଷ୍ଟ ହୋଇଯାଇଛି ।

ପାଣି ମାଡିବା ପୂର୍ବରୁ ଅମଳ ଯୋଗ୍ୟ ହୋଇନଥିଲେ ବି ପରିବାକୁ ଏମିତି ତୋଳି ପକାଇଥିଲେ ଚାଷୀ । ପୋଟଳ ହେଉ କି କଖାରୁ ପାଣି ପଶିବା ଆଗରୁ ତୋଳି ନେଇଥିଲେ । ଆଉ ସେସବୁ ପରିବାକୁ ଏବେ ଆଣି ରାସ୍ତା ଉପରେ ଗଦା କରିଛନ୍ତି । ବିଶେଷକରି ରାସ୍ତା ଉପରେ ଗଦା ହୋଇଛି ଟ୍ରକ ଟ୍ରକ କଖାରୁ । ହେଲେ କିଣିବାକୁ କେହି ନଥିବାରୁ କଖାରୁ ଗୋଟାକ ମାତ୍ର ୫ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତିି ଚାଷୀ । ଗୋଟିଏ ପଟେ ଫସଲ ହାନୀ ଆଉ ଆରପଟେ କମ ଦାମରେ ବିକ୍ରି କରିବା ଚାଷୀଙ୍କୁ ହତାଶ କରିଛି ।

ବନ୍ୟାରେ ଫସଲ ନଷ୍ଟ ପରେ ଏପଟେ ପରିବା ଦର ଆକାଶ ଛୁଆଁ ହୋଇଛି । ପରିବା ଦର ଅଚାନକ ବଢ଼ି ଯାଇଛି । କେବଳ ଆଳୁକୁ ଛାଡି ଦେଲେ କୌଣସି ପରିବା ଦାମ ୪୦ ତଳକୁ ନାହିଁ । ବନ୍ୟାରେ ପନିପରିବା ପଚି ଷଢ଼ି ନଷ୍ଟ ହୋଇ ଯାଇଥିବାରୁ ଆଗକୁ ଦର ଆହୁରି ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି ।