ବନ୍ୟାରେ ବେହାଲ ନଈକୂଳିଆ ଅଂଚଳ: କ୍ୟାମେରାରେ କଏଦ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାର ଚିତ୍ର

114

କନକ ବ୍ୟୁରୋ: ଲଗାଣ ବର୍ଷା ଛାଡିଯାଇଛି ସତ ହେଲେ ମହାନଦୀରେ ବନ୍ୟା ଆସିବା ପରେ ଏହାର ଶାଖା ନଦୀ, ଉପନଦୀର ବଢି ପାଣି ତଳିଆ ଅଂଚଳର ଗାଁ ଗଣ୍ଡାରେ ପଶିଛି । ବନ୍ୟା ଏମିତି ସ୍ଥିତି ସୃଷ୍ଟି କରିଛି ଯେ ଲୋକେ ନା ଘରେ ରହି ପାରୁଛନ୍ତି ନା ବାହାରେ ରହିପାରୁଛନ୍ତି । ସେହିସବୁ ସ୍ଥାନରୁ ଲୋକଙ୍କ ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିଛି ।

 

ଦୃଶ୍ୟ ନଂ-୧
କଟକ ଜିଲ୍ଲା ବାଙ୍କୀ ନିକଟ ସୁବର୍ଣ୍ଣପୁର ବନ୍ୟା ପାଣିରେ ଉବୁଟୁବୁ ହେଉଛି । ଗାଁ ଦାଣ୍ଡ, ଦ୍ୱାର କଥା ଛାଡନ୍ତୁ ଏବେ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରୁଛି । ଘର ଆସବାବପତ୍ର ପାଣିରେ ଭାସୁଛି ।

କଚ୍ଚା ଘରର ଛପରକୁ ଛୁଇଁ ବହି ଯାଉଛି ବନ୍ୟା ପାଣି । ଲୋକେ କିଛି ଉପାୟ ନପାଇ କିଏ ଛାତ ଉପରେ ଆଶ୍ରୟ ନେଇଛନ୍ତି ତ ଆଉ କିଏ ଉଚ୍ଚ ସ୍ଥାନରେ ତମ୍ବୁ ପକାଇ ରହିଛନ୍ତି । ଖବର ପାଇ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚି ସ୍ଥିତି ପରଖିଛନ୍ତି ।

ଦୃଶ୍ୟ ନଂ-୨
ପୁରୀ ଜିଲ୍ଲା କଣାସ ବ୍ଲକର ବାଲିପାଟଣା ଗାଁ । ବନ୍ୟା ପାଣି ପୁରା ଗାଁକୁ ବୁଡାଇ ଦେଇଛି । ଘରେ ବଢି ପାଣି ପଶିଥିବା ବେଳେ ରୋଷେଇ ବନ୍ଦ ରହିଛି । ଏବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ପ୍ୟାକେଟ ଖାଦ୍ୟ ବଂଟନ କରାଯାଇଛି ।

ଦୃଶ୍ୟ ନଂ-୩
କୋଣାର୍କ ଗୋପ ଅଂଚଳରେ କୁଶଭଦ୍ରା ନଦୀବନ୍ଧରେ ୨୫ ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇ ଦେଇ ପ୍ରଚୁର ପରିମାଣରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ସ୍ଥାନୀୟ ଅଂଚଳ ବୁଡିବା ଆରମ୍ଭ ହୋଇଛି । ଆଗକୁ ପାଖାପାଖି ୭ଟି ପଂଚାୟତ ଜଳମଗ୍ନ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ଦୃଶ୍ୟ ନଂ- ୪
୫୭ ନମ୍ବର ଜାତୀୟ ରାଜପଥ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବନ୍ଦ ରହିଛି । ବାଘମାରୀ ନିକଟ ପୋଲ ଉପରେ ସାଢେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ।

ଦୃଶ୍ୟ ନଂ- ୫
ମହାନଦୀର ପାଣି କେନ୍ଦ୍ରାପଡା ଜିଲ୍ଲା ତିର୍ତୋଲର ତଳିଆ ଅଂଚଳକୁ ବୁଡାଇ ଦେଇଛି । ଘରେ ପାଣି ପଶି ଯାଇଥିବାରୁ ଲୋକେ ଏବେ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି । ତିର୍ତୋଲ ଅଂଚଳର ମୁଣ୍ଡାସାହିର ୫ଶହରୁ ଅଧିକ ଲୋକ ଏକାଠି ହୋଇ ନଦୀ ବନ୍ଧରେ ଜରି ତମ୍ବୁ ଭିତରେ ଦିନ କାଟୁଛନ୍ତି ।

ଦୃଶ୍ୟ ନଂ- ୬
ମହାନଦୀର ବନ୍ୟା ପରିସ୍ଥିତି ଯୋଗୁଁ ଫୁଲିଛି ଶାଖା ରଣ ନଦୀ । ଫଳରେ ଜଳମଗ୍ନ ହୋଇଯାଇଛି ଖୋଦ୍ଧ ର୍ା ଅଂଚଳର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅଟ୍ରି ଉଷ୍ଣ ପ୍ରସବଣ । ଅଟ୍ରି ଭିତରେ ଥିବା ପାନ୍ଥ ନିବାସରେ ମଧ୍ୟ ପାଣି ପଶି ଯାଇଛି । ରାସ୍ତାରେ ପାଣି ଜମିବା ଫଳରେ କରଡାଗାଡିଆ, ଗୁଡୁମ, ଜକରା ଆଦି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଦୃଶ୍ୟ ନଂ- ୭
ଖୋର୍ଦ୍ଧାର ମାନପୁର ଗାଁ ବଢି ପାଣିରେ ବୁଡିଯାଇଥିଲା ବେଳେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଂଟନ କରାଯାଇଛି । ଘରକୁ ଘର ବୁଲି ରନ୍ଧଖାଦ୍ୟ ବଂଟନ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ଦୃଶ୍ୟ ନଂ -୮
ପାଇକା ନଦୀର ବନ୍ୟା ପାଣି କେନ୍ଦ୍ରାପଡା ଜିଲ୍ଲା ତିଖିରି ଗାଁରେ୍ ପ୍ରବେଶ କରିଛି । ଗାଁ ଭିତରେ ଅଂଟାଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ସେପଟେ କେନ୍ଦ୍ରାପଡା ନାନକାରା ମେଡିକାଲରେ ପାଣି ପଶିଛି । ହସ୍ପିଟାଲର ତଳ ମହଲରେ ବନ୍ୟାପାଣି ପଶିବାରୁ ଉପର ମହଲାକୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି ।

ଦୃଶ୍ୟ- ୯
ବନ୍ୟା ପାଣି ରାସ୍ତା ଉପରେ ମାଡିଯିବାରୁ ଯାତାୟତ ସବୁଠୁ ବଡ ସମସ୍ୟା ସୃଷ୍ଟି କରୁଛି । ଜଟଣୀ ବ୍ଲକର କଂଟିଠାରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ଟ୍ରାକ୍ଟରରେ ବୋଝେଇ ହୋଇ ପାଣି ରାସ୍ତା ପାର ହେଉଛନ୍ତି ଲୋକେ । ଏଥିପାଇଁ ଲୋକଙ୍କୁ ମୁଣ୍ଡ ପିଛା ୫୦ଟଙ୍କା ଦେବାକୁ ପଡ଼ୁଛି । ବାଇକ ସହ ଗଲେ ତାଙ୍କୁ ୭୦ ଟଙ୍କା ଦେବାକୁ ପଡ଼ୁଛି ।