୨ହଜାର ଟଙ୍କିଆ ନୋଟ୍ ବଦଳାଇଲେ ବଣ୍ଡା । ଟଙ୍କା ବଦଳ ପାଇଁ ମହିଳାଙ୍କ ପାଖରେ ପହଞ୍ଚିଲା ବ୍ୟାଙ୍କ

208

କନକ ବ୍ୟୁରୋ: ୨ହଜାର ଟଙ୍କିଆ ନୋଟ୍ ବଦଳାଇଲେ ବଣ୍ଡା । ଆଦିମ ଶ୍ରେଣୀ ବଣ୍ଡା ଜନଜାତିଙ୍କ ନୋଟ୍ ବଦଳାଇବା ପାଇଁ ସେମାନଙ୍କ ପାଖରେ ପହଂଚିଛି ବ୍ୟାଙ୍କ । ବଣ୍ଡା ଜନଜାତିର ମହିଳାମାନେ ପରିବାର ପ୍ରତିପୋଷଣ ପାଇଁ କାମଧନ୍ଧା କରି ଅର୍ଥ ସଂଚୟ କରିଥାନ୍ତି । ଏହି ଅର୍ଥକୁ ସେମାନେ ବାଉଁଶରେ ନିର୍ମିତ ସ୍ୱତନ୍ତ୍ର ଖୋଳ ଭିତରେ ରଖନ୍ତି । ତେବେ ୨୦୧୬ରେ ହୋଇଥିବା ନୋଟବନ୍ଦୀ ସମୟରେ ସେମାନଙ୍କୁ ଟଙ୍କା ଅଦଳବଦଳ ପାଇଁ ନାନା ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । କିନ୍ତୁ ଏଥର ୨ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଖଇରିପୁଟ ବ୍ଲକ ପ୍ରଶାସନ ଓ ବଣ୍ଡା ଉନ୍ନୟମ ସଂସ୍ଥା ପକ୍ଷରୁ ବଣ୍ଡାଘାଟିର ମୁଦୁଲିପଡ଼ାରେ ଏକ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରାଯାଇଛି । ମୋଟ ୯ଜଣ ବଣ୍ଡା ମହିଳା ଓ ପୁରୁଷ ୯ଟି ୨ହଜାର ଟଙ୍କିଆ ନୋଟ୍ ବଦଳାଇଥିବା ଏସବିଆଇ ଶାଖାର ପରିଚାଳକ ସୂଚନା ଦେଇଛନ୍ତି । ଆଗକୁ ମଧ୍ୟ ବଣ୍ଡାଘାଟିର ବିଭିନ୍ନ ସ୍ଥାନରେ ଏଭଳି କ୍ୟାମ୍ପ କରାଯିବ ବୋଲି ଜଣାପଡ଼ିଛି ।