ସାମ୍ନାକୁ ଆସିଲା ଲଙ୍କା ଚୋରି ମାମଲାର କାହାଣୀ : ଲୁଟ୍ କରିଥିବା ଠକ ପ୍ରଶାନ୍ତ ସାହୁ ଓ ଡ୍ରାଇଭର ଫେରାର; ଉଦ୍ଧାର ଲଙ୍କା ନେଇ ମଧ୍ୟପ୍ରଦେଶ ଫେରିଲେ ବ୍ୟବସାୟୀ

707

କନକ ବ୍ୟୁରୋ : ମଧ୍ୟପ୍ରଦେଶରୁ ଲୁଟ ଲଙ୍କା ଓଡିଶାରେ ଧରାପଡିଲା । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାର ବନମାଳୀପୁରରୁ ଧରାପଡିଲା ୮ ଟନ୍ ଲଙ୍କା । ୨ଟି ଗୋଦାମରେ ଚଢାଉ କରି ୮ ଟନ୍ ଲଙ୍କା ଜବତ କରିଛି ପୁଲିସ । ତେବେ ଅପହରଣର ନାଟକ କରି ଲଙ୍କା ଲୁଟ କରିଥିବା ଠକ ପ୍ରଶାନ୍ତ ସାହୁ ଓରଫ ମନୁ ଏବଂ ଡ୍ରାଇଭର ଦିନେଶ ଫେରାର ହୋଇଯାଇଛନ୍ତି । ମଧ୍ୟପ୍ରଦେଶର ବ୍ୟବସାୟୀ ଟ୍ରକରେ ୧୦ଟନରୁ ଅଧିକ ଲଙ୍କା ବୋଝେଇ କରି ଉତରପ୍ରଦେଶର ଗୋରଖପୁର ପଠାଇଥିଲେ ।

ମାତ୍ର ଠିକ୍ ସମୟରେ ଟ୍ରକ ଗୋରଖପୁରରେ ନପହଞ୍ଚିବାରୁ ବ୍ୟବସାୟୀ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଡ୍ରାଇଭରର ମୋବାଇଲ ନମ୍ବର ଓ ଗାଡିରେ ଲାଗିଥିବା ଜିପିଏସ ଟ୍ରାକ କରି ଟ୍ରକ ବାଲିପାଟଣା ଥାନା ବନମାଳିପୁରରେ ଥିବା ଜାଣିପାରିଥିଲା । ବ୍ୟବସାୟୀ ଜଣଙ୍କ ବନମାଳିପୁରରେ ପହଚିଂବା ପରେ ସ୍ଥାନୀୟ ପୁଲିସ ସହାୟତାରେ ଚଢାଉ କରାଯାଇଥିଲା । ବନମାଳିପୁର ଓ ନିମାପଡାରେ ୨ଟି ଗୋଦାମରେ ଚଢାଉ କରି ପୁଲିସ ୮ଟନ୍ ଲଙ୍କା ଜବତ କରିଛି ।

ଜବତ ଲଙ୍କା ନେଇ ଏବେ ବ୍ୟବସାୟୀ ମଧ୍ୟପ୍ରଦେଶ ଫେରିଯାଇଛନ୍ତି । ଟ୍ରକ ଡ୍ରାଇଭରକୁ ହାତ କରି ପ୍ରଶାନ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡିଛି । ତେବେ ଡିସେମ୍ବର ୧୨ରେ ମନୁକୁ କଣ୍ଣା ର୍ଟକ ପୁଲିସ ୩୯ ଲକ୍ଷ ଟଙ୍କା ଠକେଇ ମାମଲାରେ ବନମାଳିପୁରରୁ ଗିରଫ କରିଥିଲା । ଜେଲରୁ ଫେରିବା ପରେ ପୁଣି ଅଭିନବ ଢଙ୍ଗରେ ଠକେଇ କରିଛି ପ୍ରଶାନ୍ତ ଓରଫ ମନୁ ।