୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରସ୍ତୁତ ହେବ ଅଯୋଧ୍ୟା ରାମ ମନ୍ଦିର : ତ୍ରିପୁରାରେ ନିର୍ବାଚନୀ ରାଲିରେ ଗୃହମନ୍ତ୍ରୀଙ୍କ ଘୋଷଣା

162

କନକ ବ୍ୟୁରୋ : ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଗୁରୁବାର ତ୍ରିପୁରାରେ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ଶାହା କିଛନ୍ତି, ରାମ ମନ୍ଦିର ନିର୍ମାଣ ପାଇଁ କଂଗ୍ରେସ ବାଧା ସୃଷ୍ଟି କରୁଥିଲା । କୋର୍ଟରେ ମାମଲାକୁ କଂଗ୍ରେସ ଗଡାଇ ଚାଲିଥିଲା । କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି ଶାହା ।

୨୦୨୪ରେ ଲୋକସଭା ନିର୍ବାଚନ ହେବାର ଥିବାରୁ ଏହା ପୂର୍ବରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ରାମ ମନ୍ଦିର ନିର୍ମାଣ ପାଇଁ ବିଜେପିକୁ ଅଧିକ ହୀନ୍ଦୁ ଭୋଟ ମିଳିବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ୧୯୯୨ ମସିହାରେ କର ସେବକମାନେ ରାମ ମନ୍ଦିର ନିର୍ମାଣ ହେଉଥିବା ସ୍ଥାନରେ ଥିବା ବାବ୍ରୀ ମସଜିଦକୁ ଭାଙ୍ଗି ଦେଇଥିଲେ । ପରେ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିଲା । ଦୀର୍ଘ ବର୍ଷ ପରେ ୨୦୧୯ରେ ଚୁଡାନ୍ତ ରାୟ ପ୍ରକାଶ କରି ରାମ ମନ୍ଦିର ନିର୍ମାଣ ସପକ୍ଷରେ ରାୟ ଦେଇଥିଲେ ।