ଆଫଗାନିସ୍ତାନ ସୀମାରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ : ଜଣେ ଶିଶୁ ସମେତ ୪ ନାଗରିକଙ୍କ ମୃତ୍ୟୁ

185

କନକ ବ୍ୟୁରୋ : ଆଫଗାନ୍ ସୀମାରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ । ତେହରିକ୍-ଏ-ତାଲିବାନ୍ ପାକିସ୍ତାନ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ପାକ୍ ସେନା ଆକ୍ରମଣ କରିଥିବା ଜଣାପଡ଼ିଛି । ଟିଟିପିର ଗଡ଼ କୁହାଯାଉଥିବା ନାଙ୍ଗାହାର ରାଜ୍ୟର ସଲାଲା ଗୁପ୍ତା ସହରରେ ପାକ୍ ବାୟୁସେନା ବୋମା ପକାଇଛି । ଏଥିରେ ଜଣେ ଶିଶୁଙ୍କ ସମେତ ୪ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ୬ ଜଣ ଏଥିରେ ଆହତ ହୋଇଛନ୍ତି । ଗୋଟିଏ ଦିନରେ ପାକିସ୍ତାନ ସେନା ଆଫଗାନିସ୍ତାନ ସୀମା ନିକଟରେ ଦୁଇ ଥର ବୋମା ପକାଇଛି ।

ଆଫଗାନିସ୍ତାନରେ ତାଲିବାନ୍ ଶାସନକୁ ଫେରିବା ପରଠୁ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଟିଟିପି ଅଧିକ ଶକ୍ତିଶାଳୀ ହୋଇଛି । ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ ଏବଂ ଶାସନରେ ଥିବା ବିଲାୱଲ ଜର୍ଦାରୀ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ଓ ଶାହବାଜଙ୍କ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ ମେଂଟ ବିରୋଧରେ ଟିଟିପି ଖୋଲାଖୋଲି ଧମକ ଦେଇଛି । ଯଦି ଏହି ଦଳ କ୍ଷମତାରେ ରହି ସେନାର ଗୁଲାମୀ କରିବେ ତେବେ ସେମାନଙ୍କୁ ଟିଟିପି ଛାଡିବ ନାହିଁ ବୋଲି କହିଛି । ଏଥି ସହ ଦୁଇ ପାର୍ଟରୁ ଲୋକେ ଦୂରତା ବଜାୟ ରଖିବାକୁ ମଧ୍ୟ ଟିଟିପି ଧମକ ଦେଇଛି ।