ଗୁଜରାଟ ଉପକୂଳରୁ ଜବତ ହେଲା ୨୦୦ କୋଟି ଟଙ୍କାର ଡ୍ରଗ୍ସ, ୬ ପାକିସ୍ତାନୀ ଗିରଫ

110

କନକ ବ୍ୟୁରୋ : ଗୁଜରାଟର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡକୁ ଏକ ବଡ ସଫଳତା ମିଳିଛି । ଏଠାରେ କୋଷ୍ଟଗାର୍ଡ ଓ ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡର ମିଳିତ ଅପରେସନ ବେଳେ ଡ୍ରଗ୍ସ କାରବାରର ଏକ ବଡ ରାକେଟ ଧରାପଡିଛି । ସେମାନଙ୍କ ଠାରୁ ୪୦ କିଲୋ ଓଜନର ୨୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି । ବୁଧବାର ଦିନ ଗୁଜରାଟ ଉପକୂଳରେ ଏକ ବୋଟ ସହାୟତାରେ ୬ ଜଣ ପାକିସ୍ତାନୀ ନାଗରିକ ଏହି ଡ୍ରଗ୍ସ ନେଇ ଭାରତ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଧରାଯାଇଛି ।

ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡର ଜଣେ ଅଧିକାରୀ କହିଛନ୍ତି କି କଚ୍ଛ ଜିଲ୍ଲାର ଜାଖୌ ବନ୍ଦର ନିକଟରେ ତଟରକ୍ଷୀ ବାହିନୀ ଏବଂ ଏଟଏସର ଏକ ମିଳିତ ଦଳ ଡ୍ରଗ୍ସ ନେଇଯାଉଥିବା ଏକ ମାଛଧରା ଡଙ୍ଗାକୁ ମଝି ସମୁଦ୍ରରେ ଅଟକାଇଥିଲା । ଏହି ଡ୍ରଗ୍ସକୁ ପଞ୍ଜାବ ସପ୍ଲାଏ କରିବାର ଯୋଜନା ଥିବା କଥା ଜଣାପଡିଛି । ଏହି ଡଙ୍ଗାରୁ ୪୦ କିଲୋ ଡ୍ରଗ୍ସ ଜବତ କରାଯାଇଛି । ଜାହାର ଆନୁମାନିକ ବଜାର ମୂଲ୍ୟ ୨୦୦ କୋଟି ଟଙ୍କା ହେବ ବୋଲି କୁହାଯାଇଛି ।