ସ୍ୱାଧୀନ ପ୍ରାର୍ଥୀ ବିଗାଡ଼ିବେ କି ନିର୍ବାଚନ ଗଣିତ? ବଡ ନେତାଙ୍କ ସ୍ୱାଧୀନ ଲଢେଇ ବଦଳାଇବ କି ସମୀକରଣ ?

1,230

କନକ ବ୍ୟୁରୋ: ଏଥର ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ ବଡ ବଡ ନେତା । ଫଳରେ ଏଥରର ନିର୍ବାଚନ ଗଣିତ କ’ଣ ହେବ ସେ ନେଇ ଚର୍ଚ୍ଚା । କାରଣ ଦଳରୁ ଟିକେଟ୍ ନମିଳିବା ପରେ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ଅନୁଭବ ପଟ୍ଟନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକ, ଖାରବେଳ ସ୍ୱାଇଁ ଓ ଅନ୍ୟ କିଛି ଜଣାଶୁଣା ନେତା । ଘଷିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ସୌମ୍ୟରଞ୍ଜନ ପଟ୍ଟନାୟକ । ଜନସଭା ପରେ ଏହି ବଡ ଘୋଷଣା କରିସାରିଛନ୍ତି ଖଣ୍ଡପଡା ବିଧାୟକ । କହିଛନ୍ତି ଘଷିପରୁରାରେ ପରିବର୍ତ୍ତନ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେଣୁ ଲୋକଙ୍କ ସମର୍ଥନରେ ଘଷିପୁରାରୁ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢିବାକୁ କହିଛନ୍ତି ସୌମ୍ୟ ।

ସେହିପରି ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶା ରଖିଥିବା ଖାରବେଳ ସ୍ୱାଇଁ ମଧ୍ୟ ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ । ବାଲେଶ୍ୱର ଲୋକସଭା ପ୍ରାର୍ଥୀ ପାଇଁ ଆଶାୟୀ ଥିବାବେଳେ ବିଜେପି କିନ୍ତୁ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଥିଲା । ଏହାପରେ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ଖାରବେଳ ସ୍ୱାଇଁ ।
ସେହିପରି ଖଣ୍ଡପଡା ବିଧାନସଭା ଆସନ ପାଇଁ ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରେ ଅନୁଭବ ପଟ୍ଟନାୟକଙ୍କୁ ଶକ୍ତ ଝଟକା ଲାଗିଥିଲା । ସେ ଦଳରୁ ଇସ୍ତଫା ଦେବା ସହ ତୁରନ୍ତ ସ୍ୱାଧୀନ ଭାବେ ନିର୍ବାଚନକୁ ଓହ୍ଲାଇବାକୁ ଘୋଷଣା କରିଥିଲେ ।

ସେହିପରି ବାଲିକୁଦା-ଏରସମା ନିର୍ବାବନ ମଣ୍ଡଳୀ ପାଇଁ ଏଥର ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ସଞ୍ଜୀବ ବିଶ୍ୱାଳ । ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥଙ୍କୁ ଚେକ୍ ଦେବା ପାଇଁ ଅଣ୍ଟା ଭିଡିଛନ୍ତି । ବାଲିକୁଦା ବ୍ଲକର ସଦେଇପୁର ଠାରୁ ବୋରିକିନା ପର୍ଯ୍ୟନ୍ତ ୧୨ କିଲୋମିଟର ଧରି ଏକ ବିଶାଳ ରୋଡ୍ ସୋ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ସଞ୍ଜୀବ ବାଲିକୁଦା-ଏରସମା ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଥିବା ବେଳେ ଆଗାମୀ ଦିନରେ ପ୍ରଚାର ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ ସ୍ୱାଧୀନ ଭାବେ ଏସବୁ ନେତା ନିର୍ବାଚନ ଲଢିବାକୁ ଘୋଷଣା କରିବା ପରେ ଏଥର ନିର୍ବାଚନର ସମୀକରଣ କ’ଣ ତାକୁ ନେଇ ପ୍ରଶ୍ନ । ଏସବୁ ନେତା ସ୍ୱାଧୀନ ଭାବେ ପ୍ରାର୍ଥୀ ହେବା ପରେ ଅନ୍ୟ ପ୍ରାର୍ଥୀଙ୍କ ଭୋଟ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି ।