ମହିଳା ସଶକ୍ତିକରଣ ନେଇ ଆଉ ପାଦେ ଆଗେଇଲେ ନବୀନ: ୩୦ରୁ ୨୧ ଜିଲ୍ଲା ପରିଷଦର ମଙ୍ଗ ଧରିଲେ ମହିଳା

69

କନକ ବ୍ୟୁରୋ: ପଂଚାୟତ ନିର୍ବାଚନରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେଇଥିବା ନବୀନ ସରକାର ଏବେ ୭୦ ପ୍ରତିଶତ ଜିଲ୍ଲା ପରିଷଦରେ ମହିଳାଙ୍କୁ ଅଧ୍ୟକ୍ଷା କରି ମହିଳା ସଶକ୍ତିକରଣରେ ଆଉ ପାଦେ ଆଗେଇଛନ୍ତି । ପୌର ନିର୍ବାଚନରେ ବି ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।

ମହିଳାଙ୍କ ଭୋଟ ଯେଉଁ ଦଳ ସପକ୍ଷରେ ଯାଉଛି, ସେହି ଦଳ ବାଜିମାତ କରୁଥିବା ଦେଖିବାକୁ ମିଳୁଛି । ଓଡ଼ିଶାରେ ବିଜେଡି ସପକ୍ଷରେ ମହିଳାଙ୍କ ଭୋଟ ନିର୍ଣ୍ଣାୟକ ହୋଇଥାଏ ବୋଲି କୁହାଯାଏ । ଏପରିକି ଉତରପ୍ରଦେଶ ବିଜୟ ପାଇଁ ମହିଳାଙ୍କୁ ଶ୍ରେୟ ଦେଇଥିଲେ ପ୍ରଧାନମନ୍ତ୍ରୀ । ଜିଲ୍ଲା ପରିଷଦର ନେତୃତ୍ୱ ମହିଳାଙ୍କ ହାତରେ ଦେଇ କି ବାର୍ତା ଦେଇଛନ୍ତି ନବୀନ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅଭିଯୋଗ ହୁଏ. ପଂଚାୟତ ନିର୍ବାଚନରେ ଭାଗ ନେଉଥିବା ମହିଳା, ପରିବାରର ପୁରୁଷ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥାନ୍ତି । ତେବେ ଧୀରେ ଧୀରେ ଏହି ଧାରା ବଦଳୁଛି । ଉଚ୍ଚ ଶିକ୍ଷିତ ଓ ସ୍ୱାବଲମ୍ବୀ ମହିଳା ମଧ୍ୟ ରାଜନୀତିକୁ ଆସୁଥିବା ଦେଖିବାକୁ ମିଳୁଛି । ଯେଉଁମାନଙ୍କର ସ୍ୱାଧୀନ ଭାବେ ନିଷ୍ପତି ନେବାର ସାମର୍ଥ୍ୟ ରହିଛି ।

ସାଧାରଣ ନିର୍ବାଚନରେ ମହିଳା ସଂରକ୍ଷଣ ପାଇଁ ଦାବି କରିଆସୁଛି ବିଜେଡି । ଉଭୟ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରିବାକୁ ସଂକଳ୍ପ ପାରିତ କରି ଦିଲ୍ଲୀ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି ନବୀନ । ୨୦୧୯ରେ ଉଦାହରଣ ସୃଷ୍ଟି କରି ୭ ଲୋକସଭା ଆସନରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ରାଜନୈତିକ ସମୀକ୍ଷକ ମାନେ ଚର୍ଚ୍ଚା କରୁଛନ୍ତି ଯେ ଆଗକୁ ବିଧାନସଭା ନିର୍ବାଚନରେ ଅଧିକ ସଂଖ୍ୟକ ମହିଳାଙ୍କୁ ଟିକେଟ ଦେଇପାରନ୍ତି ନବୀନ ।