ସାଂଘାତିକ ଅଭିଯୋଗ ଆଣିଲେ ସାଂସଦ ଅପରାଜିତାଙ୍କ ପ୍ରତିନିଧି: ପ୍ରଚାର ପାଇଁ ପ୍ରାର୍ଥୀଙ୍କୁ ମିଳୁନି ଆବଶ୍ୟକ ସାମଗ୍ରୀ, ଏପରିକି ମିଳୁନି ଦଳୀୟ ପତାକା

1,214

କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରତିନିଧି ଦେବାଶିଷ ନାୟକଙ୍କ ଫେସବୁକ ପୋଷ୍ଟ । ପୈାର ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ଭୁବନେଶ୍ୱରରେ ପ୍ରାର୍ଥୀଙ୍କୁ ଦଳ ପକ୍ଷରୁ ସର୍ବନମ୍ନ ଆବଶ୍ୟକତା ଏପରିକି ଦଳୀୟ ପତାକା ମଧ୍ୟ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଦେବାଶିଷ । ଯଦି ସତସାହାସ ନାହିଁ ତେବେ ଳଢେଇ ନକରି ବସିଯିବା ଭଲ ହେବ ବୋଲି ଉଲ୍ଲେଖ କରିଛନ୍ତି ।

ଉତର ଭୁବନେଶ୍ୱର ପାଇଁ ଅପରାଜିତାଙ୍କ ନୋମିନି ଅଛନ୍ତି ଦେବାଶିଷ ନାୟକ । ଏହି ଅଭିଯୋଗ ଉପରେ ତାଙ୍କ ସହ ଆମେ ଯୋଗାଯୋଗ କରଥିଲେ ମଧ୍ୟ ଗଣମାଧ୍ୟମରେ କୈାଣସି ପ୍ରତିକ୍ରିୟା ଦେବାକୁ ସେ ମନା କରିଥିଲେ । ଯାହା ଲେଖିବା କଥା ଲେଖିଛନ୍ତି ବୋଲି ଜଣାଇଥିଲେ ।

ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିଲେ ମଧ୍ୟ ପ୍ରଚାରକୁ ଜୋରଦାର କରି ସାରିଲେଣି ସବୁ ଦଳ । ବିଜେଡିର କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ବିଧାୟକ ଓ ମନ୍ତ୍ରୀ । ହେଲେ ବିଜେପି ଭିତରେ ଅନ୍ତଦ୍ୱନ୍ଦ୍ୱ ଏତେ ମାତ୍ରାରେ ରହିଛି ଯେ, କେହି କାହାର ସମର୍ଥନରେ ସାମ୍ନାକୁ ଆସୁନାହାନ୍ତି ।

ଭୁବନେଶ୍ୱରରେ ବିଜେପି ପ୍ରଚାରରେ ରାଜ୍ୟସ୍ତରୀୟ ନେତାଙ୍କୁ ଏ ଯାଏଁ ଦେଖିବାକୁ ମିଳୁନି । କେବଳ ଜଗନ୍ନାଥ ପ୍ରଧାନ ଓ ବାବୁ ସିଂଙ୍କୁ ଛାଡିଦେଲେ ଆଉ କେହି ପ୍ରଚାରରେ ସାମିଲ ହୋଇନାହାନ୍ତି । ଯାହାକୁ ନେଇ ସାଧାରଣରେ ମଧ୍ୟ ପ୍ରଶ୍ନ ଉଠିଛି ।

ପଂଚାୟତ ଫଳାଫଳ ଦଳ ପାଇଁ ନିରୁତ୍ସାହଜନକ ହୋଇଥିବା ବେଳେ ପୈାର ପ୍ରଚାରରେ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟର ବରିଷ୍ଠ ନେତା ସାମିଲ ହେବେ ବୋଲି ଘୋଷଣା କରିଥିଲା ବିଜେପି । କିନ୍ତୁ ନିର୍ବାଚନକୁ ଆଉ ମାତ୍ର ୧୦ ଦିନରୁ କମ ସମୟ ଥିବା ବେଳେ ସୋସିଆଲ ମିଡିଆରେ ଦେବାଶିଷଙ୍କ ଏହି ପୋଷ୍ଟ ଦଳରେ ସବୁ କିଛି ଠିକ ଚାଲିନଥିବା ଦର୍ଶାଉଛି । ସେହିଭଳି ଭୁବନେଶ୍ୱରରେ ଦଳୀୟ ନେତା ଥାଇ ମଧ୍ୟ ସୁନୀତି ମୁଣ୍ଡଙ୍କ ପାଇଁ ପ୍ରଚାର କରିବାକୁ ବାହାରୁ ନାହାନ୍ତି ।