ମହିଳା କମାଣ୍ଡୋଙ୍କ ହାତରେ ରହିବ ଭାରତୀୟ ଦୂତାବାସର ସୁରକ୍ଷା ଦାୟିତ୍ୱ । କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି

127

କନକ ବ୍ୟୁରୋ : ଏଣିକି ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବେ ମହିଳା କମାଣ୍ଡୋ । ଆଫଗାନିସ୍ତାନ କାବୁଲରେ ଭାରତୀୟ ଦୂତାବାସର ସୁରକ୍ଷା ଦାୟିତ୍ୱ ମହିଳା କମାଣ୍ଡୋଙ୍କ ହାତରେ ନ୍ୟସ୍ତ ରହିବ । ଏହି ମହିଳାମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯାଇଛି । ୬ ସପ୍ତାହର ଟ୍ରେନିଙ୍ଗରେ ହେଲିକପ୍ଟର ଅପରେଟ୍ କରିବା, ସ୍ୱିମିଂ, ସବୁ ପ୍ରକାର ଅସ୍ତ୍ରଶସ୍ତ୍ର ଚଳାଇବାରେ ନିପୁଣତା ହାସଲ କରିଥାନ୍ତି ଏହି ଆଇଟିବିପି ମହିଳା ଯବାନମାନେ ।

କାବୁଲ ସ୍ଥିତ ଭାରତୀୟ ଦୂତାବାସ ଛଡା ଆଫଗାନିସ୍ତାନରେ ଭାରତର ୪ଟି ବାଣିଜିକ ଦୂତାବାସ ରହିଛି । ଯେଉଁଠାରେ ଆଇଟିବିପିର ପ୍ରାୟ ୩ଶହ ଯବାନ ନିୟୋଜିତ ରହିଛନ୍ତି । କମାଣ୍ଡୋ ଟ୍ରେନିଂ ଅତ୍ୟଧିକ କଷ୍ଟ ହୋଇଥିବାରୁ ଖୁବ୍ କମ୍ ମହିଳା ଏହାକୁ ପାସ୍ କରିପାରନ୍ତି । କମାଣ୍ଡୋ ଫୋର୍ସ ପାସ୍ କରିବା ପରେ ଏବେ ଏହି ମହିଳାଙ୍କୁ କାବୁଲ ସ୍ଥିତ ଭାରତୀୟ ଦୂତାବାସରେ ନିୟୋଜିତ କରାଯିବ ।

ତେବେ ଦୂତାବାସରେ ମହିଳାଙ୍କୁ ନିୟୋଜିତ କରିବା ପଛରେ କେନ୍ଦ୍ର ସରକାରଙ୍କର ଏକ ପ୍ରମୁଖ ଉଦେଶ୍ୟ ରହିଛି । ଅନେକ ଥର ଆତଙ୍କବାଦୀମାନେ ବୁର୍ଖା ପିନ୍ଧି ଦୂତାବାସ ମଧ୍ୟରେ ପସି ଆକ୍ରମଣ କରିଛନ୍ତି । ତେଣୁ ମହିଳା ସୁରକ୍ଷା କର୍ମୀ ନିୟୋଜିତ ହେଲେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି ହୋଇପାରିବ ବୋଲି ଆଶା କରାଯାଉଛି । କାରଣ ଯଦି କୌଣସି ବ୍ୟକ୍ତି ଏପରି ବୁର୍ଖା ପିନ୍ଧି ଭିତରକୁ ପସନ୍ତି ତେବେ ମହିଳା କମାଣ୍ଡୋ ତାଙ୍କୁ ଯାଣିପାରିବେ ଏବଂ ଆତଙ୍କୀଙ୍କୁ ଧରାଯାଇ ପାରିବ । ଏହିକୁ ଦୃଷ୍ଟିରେ ରଖି ଆଇଟିବିପିରେ ମହିଳା କମାଣ୍ଡୋଙ୍କୁ ସାମିଲ କରାଯାଉଛି ।