ପ୍ରତିବାଦର ଭୋଟ ବର୍ଜନ । ଭୋଟ ଦେଲେନି ଜଣେ ବି ଭୋଟର ।

182

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଭୋଟ ବର୍ଜନର ଖବର । କେଉଁଠି ରାସ୍ତା ପାଇଁ ତ’ କେଉଁଠି ପାନୀୟ ଜଳ ପାଇଁ ଭୋଟ ଦେବାକୁ ଆସିନାହାନ୍ତି ଭୋଟର । ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଲୋକ ଏଥର ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନରେ ସାମିଲ ହୋଇନାହାନ୍ତି ।

  • ପ୍ରତିବାଦର ଭୋଟ ବର୍ଜନ
  • ଭୋଟ ଦେଲେନି ଜଣେ ବି ଭୋଟର

ମଦଦାନ କେନ୍ଦ୍ର ଅଛି, ବୁଥରେ ପ୍ରିଜାଇଡିଂ ଅଫିସର ବସିଛନ୍ତି । ଆଇନଶୃଙ୍ଖଳା ଦାୟିତ୍ୱରେ ନିୟୋଜିତ ସୁରକ୍ଷାକର୍ମୀ ମଧ୍ୟ ଅଛନ୍ତି । ହେଲେ ଯେଉଁଥିପାଇଁ ଏ ଆୟୋଜନ ତାହା ହେଉନାହିଁ । ଖାଁ ଖାଁ ପଡ଼ିଛି ମତଦାନ କେନ୍ଦ୍ର । ବୁଥ ପାଖରେ ଅଛନ୍ତି ହେଲେ ଭୋଟ୍ ଦେବାକୁ ଗୋଟିଏ ବି ଭୋଟର ଆସୁ ନାହାନ୍ତି ।

ମତଦାନ ସମୟ କିନ୍ତୁ ବୁଥ ଆଗରେ ଭିଡ ବଦଳରେ ଗାଁ ଦାଣ୍ଡରେ ଲାଗିଛି ଭିଡ । ରାସ୍ତା ନାହିଁ ତ ଭୋଟ ନାହିଁ । ଏହି ଦାବିରେ ଅଟଳ ଢେଙ୍କାନାଳ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାଘମୁଣ୍ଡା ଗାଁର ଲୋକ । ବାରମ୍ବାର ଦାବି ସତ୍ୱେ ଗାଁକୁ ପକ୍କା ରାସ୍ତା ଖଣ୍ଡେ ହୋଇପାରି ନାହିଁ । ଏହାଛଡା ବିଜୁଳି, ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ତେଣୁ ଗାଁର ୫୩୦ ଜଣ ଭୋଟର ଏଥର ଭୋଟବର୍ଜନ କରି ପ୍ରତିବାଦ ଜଣାଇଛନ୍ତି ।

  • ରାସ୍ତା ନାହିଁ ତ ଭୋଟ ନାହିଁ
  • ଖିରିସାହିରେ ପଡିଲାନି ଭୋଟ

ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଖିରିସାହି ଗାଁରେ ଭୋଟ ବର୍ଜନ । ଗାଁରୁ ସମୁଦ୍ର କୂଳ ଯାଏଁ ପକ୍କା ରାସ୍ତା ଦାବିରେ ଭୋଟ ଦେବାକୁ ଆସୁନାହାନ୍ତି ଜଣେ ବି ଭୋଟର । ଖିରିସାହି ଗାଁର ୪୬ ନମ୍ବର ବୁଥରେ ସକାଳୁ ବସିଛନ୍ତି ପୋଲିଂ ବୁଥର ଅଧିକାରୀ । ହେଲେ ଭୋଟ ଦେବାକୁ କେହି ଆସୁ ନାହାନ୍ତି । ଖିରିସାହିଁ ଗାଁ ରାସ୍ତା ପାଇଁ ବାରମ୍ବାର ଦାବି ଜଣାଇଥିଲେ, ଏପରି କି ଭୋଟ ବର୍ଜନ ଚେତାବନୀ ମଧ୍ୟ ଦେଇଥିଲେ । ହେଲେ କେହି ଶୁଣିନଥିଲେ । ତେଣୁ ଗାଁ ଲୋକଙ୍କ ନିଷ୍ପତିକ୍ରମେ ଭୋଟ ଦାନରୁ ଗାଁର ଭୋଟର ଦୁରେଇ ରହିଛନ୍ତି ।

ମତଦାନ ଭାରତୀୟ ନାଗରିକଙ୍କ ମୌଳିକ ଅଧିକାର । କିନ୍ତୁ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ ପ୍ରତିବାଦ ଜଣାଇବାକୁ ଯାଇ, ଦାବି ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଭୋଟ ବର୍ଜନ କରିଛନ୍ତି ।