ମତଦାନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦମ୍ଭୋକ୍ତି । ଲୋକସଭା ଓ ବିଧାନସଭାରେ ବିଜେଡିର ହେବ ବଡ଼ ବିଜୟ । ସେପଟେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଲେ ସବୁ ଲୋକସଭା ପୋଛିନେବ ବିଜେପି, ରାଜ୍ୟରେ ଗଢ଼ିବ ସରକାର ।

211

କନକ ବ୍ୟୁରୋ: ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହାସହ ରାଜ୍ୟରେ ବଡ଼ ବିଜୟ ନେଇ ଦମ୍ଭୋକ୍ତି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ସରକାର ଗଠନ ନେଇ ଦାବି କରିଛନ୍ତି ଦୁଇ ନେତା । ବିଜେଡି ସ୍ଥିର ସରକାର କରିବ ବୋଲି ନବୀନ ପଟ୍ଟନାୟକ ଦୃଢ଼ୋକ୍ତି ବାଢ଼ିଥିବା ବେଳେ ରାଜ୍ୟରେ ୨୧ରୁ ୨୧ ଲୋକସଭା ଆସନ ଜିତିବା ସହ ରାଜ୍ୟରେ ବି ବହୁମତ ସହ ସରକାର ଗଢ଼ିବ ବିଜେପି ବୋଲି ଧର୍ମେନ୍ଦ୍ର ପ୍ରଧାନ ଦମ୍ଭ ଦେଖାଇଛନ୍ତି ।

  • ଭୋଟ ଦେଲେ ଜନତା, ଦାବି କଲେ ନେତା
  • ବଡ ବିଜୟ ନେଇ ନବୀନ, ଧର୍ମେନ୍ଦ୍ରଙ୍କ ଦମ୍ଭୋକ୍ତି

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । କିଏ ଜିତିବ ସେ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି । ଏହି ସମୟରେ ବିଜେଡି ଓ ବିଜେପିର ବଡ ବିଜୟ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ଏରୋଡ୍ରମ କଲୋନୀସ୍ଥିତ ୟୁପି ସ୍କୁଲରେ ଭୋଟ ଦେଇଥିଲେ । ନବୀନ ନିବାସରୁ ସେ ଚାଲି ଚାଲି ଆସି ନିଜ ମତାଧିକାର ସାବ୍ୟସ୍ତ କରିିଥିଲେ । ଭୋଟ ଦେବା ପରେ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି, ରାଜ୍ୟରେ ବିଜେଡିର ବଡ ବିଜୟ ହେବ । ବିଜେଡି ସ୍ଥିର ସରକାର କରିବ । ଲୋକସଭା ଓ ବିଧାନସଭାରେ ଫଳାଫଳ ବିଜେଡି ସପକ୍ଷରେ ଯିବ ।

  • ଧର୍ମେନ୍ଦ୍ର ଦେଲେ ଭୋଟ, କଲେ ବଡ଼ ଦାବି
  • ‘୨୧ ଆସନ ଜିତିବୁ, ସରକାର ବି ଗଢ଼ିବୁ’

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ସମ୍ବଲପୁରରୁ ଫେରି ଭୁବନେଶ୍ୱରରେ ମତଦାନ ସାବ୍ୟସ୍ତ କରିଛନ୍ତି । ପତ୍ନୀଙ୍କ ସହ ସେ ଚନ୍ଦ୍ରଶେଖରପୁର ଡିଏଭି, କ୍ୟାମ୍ପସ ଟୁରେ ଅପରାହ୍ନରେ ଭୋଟ ଦେଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ବି ଦେଶରେ ଓ ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶରେ ୪ ଶହରୁ ଅଧିକ ଲୋକସଭା ଆସନ ଜିତିବ ବିଜେପି । ରାଜ୍ୟରେ ୨୧ରୁ ୨୧ ଲୋକସଭା ଆସନ ଜିତିବ । ରାଜ୍ୟରେ ବି ବହୁମତ ସହ ସରକାର ହେବ । ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ବିଜୟ ନେଇ ବଡ ନେତା ବଡ ଦାବି କରିଛନ୍ତି । କିନ୍ତୁ ଇଭିଏମରେ ସିଲ ହୋଇଛି ପ୍ରାର୍ଥୀ ଓ ଦଳଗୁଡିକର ଭାଗ୍ୟ । ଦମ୍ଭୋକ୍ତିର ଦମ କେତେ ତାର ଉତ୍ତର ଜୁନ ୪ ତାରିଖରେ ହିଁ ଜଣାପଡିବ ।