କୁଜଙ୍ଗ, ଆଳି, ରେମୁଣାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପ୍ରଚାର । ରତ୍ନଭଣ୍ଡାର ଓ ଚାବି ହଜିବା ପ୍ରସଙ୍ଗ ଉଠାଇ ବିଜେଡିକୁ କଲେ ସମାଲୋଚନା

135

କନକ ବ୍ୟୁରୋ: ଜଣକ ପରେ ଜଣେ ବିଜେପିର କେନ୍ଦ୍ରୀୟ ନେତା ଓଡ଼ିଶା ଆସୁଛନ୍ତି । ଆଉ ଶାଣିତ ଢଙ୍ଗରେ ବିଜେଡି ସରକାର ଉପରେ ବର୍ଷୁଛନ୍ତି । ଆଜି ତିନୋଟି ନିର୍ବାଚନୀ ସଭାରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଆଉ ରତ୍ନଭଣ୍ଡାର ଓ ତାମିଲନାଡୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ଏହାସହ ବିଜେପିର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ।

  • ଓଡ଼ିଶାରେ ସ୍ମୃତି ଇରାନୀଙ୍କ ରଣହୁଙ୍କାର
  • ରିମୋଟ୍ କଣ୍ଟ୍ରୋଲ ସରକାର କହି କଲେ ଟାର୍ଗେଟ୍

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଓଡ଼ିଶା ଗସ୍ତରେ ଆସି ରଣହୁଙ୍କାର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ବିଜେପିକୁ ଭୋଟ୍ ଦେଇ ବିଜେଡିକୁ ହଟାଇକୁ ଆହ୍ୱାନ ଦେଇଛନ୍ତି । ସ୍ମୃତି ଇରାନୀ କହିଛନ୍ତି….

  • ଓଡ଼ିଶାରେ ଚାଲିଛି ରିମୋଟ କଣ୍ଟ୍ରୋଲ ସରକାର
  • ମୁଖ୍ୟମନ୍ତ୍ରୀଙ୍କୁ କହିବା, ବୁଲିବା ପାଇଁ ବି ସ୍ୱାଧୀନତା ନାହିଁ
  • ରିମୋଟ୍ କଣ୍ଟ୍ରୋଲରେ ଶାସନ ଚଳାଉଥିବା ତାମିଲ ବାବୁ ଓଡ଼ିଶାକୁ ଲୁଟୁଛନ୍ତି
  • ଓଡ଼ିଶାକୁ ଜମି, କୋଇଲା, ବାଲି ଓ ଖଣି ମାଫିଆଙ୍କ ଭଳି ମାଫିଆ ଦେଇଛି ବିଜେଡି
  • ମୋଦୀ ଦେଉଥିବା ଚାଷୀ ଟଙ୍କାକୁ ଖାଇଗଲେ ତାମିଲ ଠିକାଦାର

ସେହିପରି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ସ୍ମୃତି ଇରାନୀ । ରତ୍ନଭଣ୍ଡାର ଚାବି କାହିଁକି ହଜିଲା ବୋଲି ପ୍ରଶ୍ନ କରିବା ସହ ବିଜେପି ସରକାରକୁ ଆସିଲେ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ଓଡ଼ିଶାରେ ଆମ ସରକାର ଆସିଲେ, ଚାବି ହଜିବା ରିପୋର୍ଟର ହେବ ଯାଞ୍ଚ । ଆଉ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍ମୃତି ଇରାନୀ ।

ଦିନିକିଆ ଓଡ଼ିଶା ଗସ୍ତରେ ସ୍ମୃତି ଇରାନୀ ପ୍ରଥମେ କୁଜଙ୍ଗ, ପରେ କେନ୍ଦ୍ରାପଡ଼ା ଆଳି ଓ ବାଲେଶ୍ୱର ଗସ୍ତ କରିଥିଲେ । ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଜେପିର ଆଉ କିଛି କେନ୍ଦ୍ରୀୟ ନେତାଙ୍କର ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ରହିଛି ।