ମହାରାଷ୍ଟ୍ରରେ ସିନ୍ଦେ ସରକାରକୁ ନେଇ ସଂଜୟ ରାୱତଙ୍କ ବଡ ଦାବି । କହିଲେ, ଅଗାମୀ ୧୫ ଦିନ ମଧ୍ୟରେ ଭାଙ୍ଗିଯିବ ସିନ୍ଦେ ସରକାର

1,336

କନକ ବ୍ୟୁରୋ : ମହାରାଷ୍ଟ୍ରର ଏକନାଥ ସିନ୍ଦେ ଓ ବିଜେପିର ମିଳିତ ସରକାରକୁ ନେଇ ଶିବସେନା (ଉଦ୍ଧବ ଠାକରେ ଗ୍ରୁପ) ନେତା ସଂଜୟ ରାୱତ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି କି ମହାରାଷ୍ଟ୍ରର ସିନ୍ଦେ-ଫଡନଭିସ୍ ସରକାର ଆଗାମୀ ୧୫ ଦିନ ମଧ୍ୟରେ ଭାଙ୍ଗିବାକୁ ଯାଉଛି । ସେ କହିଛନ୍ତି କି ଚଳିତ ସରକାରର ଡେଥ୍ ୱାରେଣ୍ଟ ଜାରି ହୋଇସାରିଛି । ସଂଜୟ ରାୱତଙ୍କ ଏଭଳି ଦାବି ପରେ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି ।

ସଂଜୟ ରାୱତ କହିଛନ୍ତି କି ମହାରାଷ୍ଟ୍ର ସରକାରକୁ ନେଇ ସମସ୍ତେ ନିଜ ନିଜ ଗଣିତ ପ୍ରକାଶ କରୁଛନ୍ତି । ହେଲେ ସେ ଫଳାଫଳକୁ ଅପେକ୍ଷା କରୁଛନ୍ତି ଓ ସିନ୍ଦେଙ୍କ ସମର୍ଥନରେ ଶିବସେନାକୁ ଯେଉଁ ୪୦ ଜଣ ବିଧାୟକ ଦୁଇଭାଗ କରିଦେଇଥିଲେ ସେମାନେ ଏବେ ସିନ୍ଦେଙ୍କ ପରିଚାଳନାରେ ଚାଲିଥିବା ସରକାରରେ ରହିବାକୁ ପସନ୍ଦ କରୁନାହାଁନ୍ତି ।

ଅନ୍ୟପଟେ କିଛିଦିନ ତଳେ ଏନସିପି ନେତା ଅଜିତ ପାୱାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଯେଉଁ ବୟାନ ଦେଇଥିଲେ ତାହାକୁ ସମର୍ଥନ କରିଛନ୍ତି ସଂଜୟ ରାୱତ । ସେ କହିଛନ୍ତି ଯେ, ଅଜିତ ପାୱାରଙ୍କ ପାଖରେ ପ୍ରଶାସନିକ ଦକ୍ଷତା ରହିଛି ତେଣୁ ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଶତପ୍ରତିଶତ ଯୋଗ୍ୟ । ଏହାସହ ଅଜିତ୍ ପାୱାର ମହାରାଷ୍ଟ୍ର ସରକାରରେ ଅନେକ ଥର ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତେଣୁ ଆଗାମୀ ଦିନରେ ଅଜିତ୍ ପାୱାର ମୂୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ସଂଜୟ ରାୱତ ଇଶାରା ଦେଇଛନ୍ତି ।