ମତଦାନ କେନ୍ଦ୍ରରେ ନାଁ ନଥିବାରୁ ଅସନ୍ତୋଷ । ବୁଥରେ ଶୋଇରହିଲେ ୯୭ ବର୍ଷର ବୃଦ୍ଧ । ଏପଟେ ଭୋଟ ଦେଇ ନପାରିବାରୁ କ୍ଷୋଭ ପ୍ରକାଶ କଲେ ଅଭିନେତ୍ରୀ ଉଷସୀ ମିଶ୍ର ।

80

କନକ ବ୍ୟୁରୋ: ଭୋଟ ଦେବା ପାଇଁ ବଞ୍ଚିିତ ହେବାରୁ ବରିଷ୍ଠ ନାଗରିକଙ୍କ ଅଭିନବ ପ୍ରତିବାଦ । ପୁରୀ ଭୋଳାନାଥ ବିଦ୍ୟାପୀଠ ୫୬ ନମ୍ବର ବୁଥରେ ଶୋଇ ପ୍ରତିବାଦ କରିଛନ୍ତି ୯୭ ବର୍ଷିୀୟ ରାମଚନ୍ଦ୍ର ଦାସ । ଏଥର ଭୋଟର ଲିଷ୍ଟରେ ତାଙ୍କ ନାଁ ନାହିଁ , ଯାହାକୁ ନେଇ ସେ ଓ ତାଙ୍କ ପରିବାର ଲୋକ ବି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ନିର୍ବାଚନ ବେଳେ ବର୍ଷ ବର୍ଷ ଧରି ଭୋଟ ଦେଉଥିଲେ । କିନ୍ତୁ ଆଜି ମତଦାନ ଅଧିକାରରୁ ବଞ୍ଚିତ ହୋଇଛନ୍ତି ରାମଚନ୍ଦ୍ର ଦାସ ।

  • ଭୋଟ ଦେଇପାରିଲେନି ଉଷସୀ
  • ସୋସିଆଲ ମିଡିଆରେ ଜଣାଇଲେ ଅସନ୍ତୋଷ

ଅଭିନେତ୍ରୀ ଉଷସୀ ମିଶ୍ର ବି ଆଜି ନିଜର ମତାଧିକାର ସାବ୍ୟସ୍ତ କରିପାରିନାହାନ୍ତି । ପୂର୍ବରୁ ଶୈଳଶ୍ରୀବିହାରରେ ସେ ଭୋଟ ଦେଉଥିଲେ । କିନ୍ତ ଏଥର ତାଙ୍କ ନାଁ ଭୋଟର ତାଲିକାରେ ନାହିଁ । ଭୋଟର ତାଲିକାରେ ନାଁ ନଥିବାକୁ ତାଙ୍କ ମାଆ ବି ଭୋଟ ଦେଇପାରିନାହାନ୍ତି । ଆଉ ଭୋଟ ଦେବାରୁ ବଞ୍ଚିତ ହେବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଉଷସୀ ମିଶ୍ର ।

  • ଭୋଟର ତାଲିକାରେ ନା ନାହିଁ
  • ଭୋଟ ଦେଇପାରିଲେନି, ଅସନ୍ତୋଷ ଝାଡିଲେ

ଭୁବନେଶ୍ୱର ଗାଡକଣ ରେଳବାଇ ପ୍ରକଳ୍ପ ସ୍କୁଲରେ ଭୋଟର ତାଲିକାରେ ନାଁ ନଥିବାରୁ ଚାପା ଉତ୍ତେଜନା ପ୍ରକାଶ ପାଇଛି । ପ୍ରାୟ ୨୦ରୁ ଅଧିକ ଭୋଟର ଭୋଟଦାନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ପ୍ରବଳ ଖରାରେ ଧାଡି ବାନ୍ଧି ଭୋଟ ଦେବାକୁ ଅପେକ୍ଷା କରିବା ପରେ ସେମାନଙ୍କ ତାଲିକାରେ ନାଁ ନଥିବା ଜଣାପଡିଥିଲା । ପୂର୍ବରୁ ସେମାନେ ଏହି ବୁଥରେ ଭୋଟ ଦେଉଥିଲେ । ତେବେ ଆଜିର ଘଟଣା ପରେ ଭୋଟ ଦେଇପାରିନଥିବା ବ୍ୟକ୍ତିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ କେବଳ ପୁରୀ କି ଭୁବନେଶ୍ୱର ନୁହେଁ, ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର କିଛି ସ୍ଥାନରେ ବି ନାଁ ନଥିବାରୁ ଭୋଟର ହଇରାଣ ହୋଇଛନ୍ତି ।